Starting the Blogspot journey

 

 

 

 

 ଗୁରୁବାଣୀ -ଶ୍ରୀ ବୈରାଗୀ

-ଏକ-

ଶ୍ରୀ ଭଗବାନ, ଶ୍ରୀ ଭଗବତୀ ଓ ଶ୍ରୀ ସଦ୍ଗୁରୁ ଦେବଙ୍କ ମୁଖ୍ୟ ବାଣୀ | 


"ମୋତେ ଆଶ୍ରୟ କଲେ, ସର୍ବଦା ମୋଠାରେ ଲୟ ରଖି ମୋ ନାମ ନେଲେ ସମସ୍ତ ପାପ ବିନାଶ ହୋଇଯାଏ |

ନିଜକୁ ସମ୍ପୂର୍ଣ୍ଣ ଭାବରେ ମୋତେ ସମର୍ପଣ କରିଦେଇ ପାରିଲେ କର୍ମ ଜନିତ ସକଳ ଦୁଃଖ ଯନ୍ତ୍ରଣା ନାଶ ହୋଇ ପରମ ଆନନ୍ଦ ପ୍ରାପ୍ତି ହୁଏ |  ଜୀବନର ଲକ୍ଷ୍ୟ ପୂରଣ ହୁଏ |


ମୋଠାରେ ଅଟଳ ବିଶ୍ୱାସ ରଖିଲେ ଜନ୍ମଦାତ୍ରୀ ମା ଭଳି ମୁଁ ସମସ୍ତ ଦାୟିତ୍ୱ ତୁଲାଇଦିଏ | 


ମୁଁ ଶ୍ରୀ ଭଗବାନ, ଶ୍ରୀ ଭଗବତୀ , ଶ୍ରୀ ସଦ୍ଗୁରୁ , ମହାଲକ୍ଷ୍ମୀ , ମହାକାଳୀ, ଦୁର୍ଗା, ସରସ୍ବତୀ, ଶିବ, ଗୌରୀ, ଗଣେଶ, ରାମ, କୃଷ୍ଣ , ନବଗ୍ରହ ଓ ହନୁମାନ ଆଦି - ସବୁ ମୁଁ |  


ଶକ୍ତି  ଭାବରେ ମୁଁ ସର୍ବତ୍ର ବିରାଜିତ |

ତୋଠାରେ, ତାଠାରେ , ଏଠାରେ, ସେଠାରେ , ସବୁଠାରେ ମୋର ବାସ | 

ତୁ ଯାହା କରୁଛୁ , ଯାହା କହୁଛୁ , ଯାହା ଭାବୁଛୁ , ତୁ ଯେଉଁଠି ଥିଲେବି ମୁଁ ସବୁ ଜାଣୁଛି, ସବୁ ଶୁଣୁଛି, ସବୁ ଦେଖୁଛି | 

ମୁଁ ତୋର ଅତି ଆପଣାର | ତୋ ସହିତ ମୋର ସମ୍ପର୍କ ଜନ୍ମ ଜନ୍ମାନ୍ତରର |  ତୋତେ ପାଇବା ପାଇଁ ମୁଁ ଅତି ବ୍ୟାକୁଳ |
 

କାମ, କ୍ରୋଧ, ମିଥ୍ୟାଚାର, ଛଳନା , ମୋହ , ଲୋଭ , ଆଦି ତୋର ଅନିଷ୍ଟକାରୀ ଶତୃ | ଏମାନେ ମୋହିନୀ ମାୟାରେ ତୋତେ ଭୁଲାଇ ରଖିଛନ୍ତି | ଏମାନଙ୍କର ମୁଁହରେ ମଧୁ ଆଉ ଅଣ୍ଟିରେ ଛୁରୀ | ଏହି ନକଲି କପଟୀ ବନ୍ଧୁଙ୍କ କପଟରେ ତୁ ଭୁଲି ଯାଇଛୁ, ଭଳି ଯାଉଛୁ |
 

ତୋର ନିଜର କେବଳ ମୁଁ |


ଟିକିଏ ଭାବ, ଟିକିଏ ଚିନ୍ତାକର |
 

ଦୁଇ ବାହୁ ପ୍ରସାରଣ କରି ଅତି ବ୍ୟାକୁଳ ଭାବରେ ମୁଁ ତୋତେ ଅପେକ୍ଷା କରି ରହିଛି | 

ଆଉ ଡେରି ନକରି ତୁ ଆ, ଫେରି ଆ ମୋ କୋଳକୁ | 

ତୋତେ ପାଇ ମୋ କୋଳ ପୁରିଉଠୁ | 

ତୁ ଗୋଟିଏ ପାଦ ମୋ ଆଡ଼କୁ ବଢ଼ାଇଲେ ମୁଁ ଦଶ ପାହୁଣ୍ଡ ଆଗେଇ ଯାଇ ତୋତେ କୋଳେଇ ନେବି |   


-ତାଙ୍କୁ ପାଇବା ପାଇଁ-


1. ଭଲ ହୁଅ |  ଭଲ କର୍ମ କର |ଭଲ କଥା କହ, ଭଲ ବ୍ୟବହାର କର | ଭଲ ଚିନ୍ତା କର |

2. ସେ ସମସ୍ତଙ୍କଠାରେ ପରମାତ୍ମା ବା ଶକ୍ତି ଭାବରେ ବିରାଜିତ | କାହାରି ଅନିଷ୍ଟ କର ନାହିଁ, ଅନିଷ୍ଟ ଚିନ୍ତା କର ନାହିଁ  | କାହାରି ମନରେ ବ୍ୟଥା ଦିଅ ନାହିଁ |

3.  ଠାକୁର -ସତ୍, ପବିତ୍ର ଓ ନିର୍ମଳ | ତୁମେ ପବିତ୍ର ଓ ନିର୍ମଳ ହୋଇଗଲେ ତାଙ୍କ ସହ ମିଶିବାକୁ ବା ତାଙ୍କର ଦୟା ପାଇବା ପାଇଁ ମୋଟେ ଡେରି ହେବନାହିଁ | 

4. ପରନିନ୍ଦା, ପରଚର୍ଚ୍ଚା ଅଯଥା ବାକ୍ୟାଳାପ କରନାହିଁ | ଅଯଥା ମୂଲ୍ୟହୀନ ଭାବନା ଓ ଆଳସ୍ୟରେ ସମୟ ନଷ୍ଟ କରନାହିଁ | ସମୟ ମଧ୍ୟ ଭଗବାନ | ଗୋଟିଏ ମୁହୂର୍ତ୍ତ ' ଗୋଟିଏ ମିନିଟ୍ ବା ସେକେଣ୍ଡ ଯାହା ଚାଲିଗଲା, ଅଜସ୍ର ବିଶ୍ୱ ବଦଳରେ ତାହା କଦାପି ଫେରାଇ ଆଣି ହେବ ନାହିଁ | ପ୍ରତ୍ୟେକ ମୁହୂର୍ତ୍ତ କୁ ସତ୍ କର୍ମରେ ବିନିଯୋଗ କର |  କର୍ତ୍ତବ୍ୟ ହିଁ ଭଗବାନ' ଭଗବତୀ ବା ସଦ୍ଗୁରୁ | ତୁମର ଆଠ ଘଣ୍ଟା ପରିଶ୍ରମ କରିବାକୁ ଥିଲେ ଆଉ ଗୋଟିଏ ଘଣ୍ଟା ତାଙ୍କ ପାଇଁ ବଢ଼ାଇ ଦିଅ |

5. ଆଳସ୍ୟ, କ୍ରୋଧ, ପରଶ୍ରୀକାତରତା, ମିଥ୍ୟାଚାର, ମିଥ୍ୟାଭାଷଣ , କପଟତା , କାମପ୍ରବଣତା ପରିତ୍ୟାଗ କର | ନିଜ ସହଧର୍ମିଣୀ ବା ସ୍ୱାମି ଙ୍କ ବ୍ୟତୀତ ଜଗତର ପ୍ରତ୍ୟେକ ନର ନାରୀଙ୍କୁ ନିଜର ଗର୍ଭଧାରିଣୀ ଜନ୍ମଦାତ୍ରୀ ମା-ବାପା ବୋଲି ଜ୍ଞାନ କର |    

6.  ବ୍ରହ୍ମଚର୍ଯ୍ୟହିଁ ବ୍ରହ୍ମ | କାୟ ମନ ବା ବାକ୍ୟରେ ବ୍ରହ୍ମଚର୍ଯ୍ୟ ରକ୍ଷାକର | ବୀର୍ଯ୍ୟ ଧାରଣରେ ଶରୀର ଅକ୍ଷୁର୍ଣ୍ଣ ରହେ ଓ ଶୀତତାପ ସହିଷ୍ଣ  ହୁଏ |  ଧୃତବୀର୍ଯ୍ୟ ବ୍ୟକ୍ତି ଅନଳସ, ନିର୍ଭୀକ, ଅକପଟ, ଚରିତ୍ରବାନ, ମିତାଚାରୀ ଓ ପରୋପକାରୀ ହୁଅନ୍ତି | ବୀର୍ଯ୍ୟଧାରୀ  ବ୍ୟକ୍ତିର ମନ ପ୍ରାଣ ସର୍ବଦା ତୃପ୍ତି, ଶାନ୍ତି, ଆନନ୍ଦ ଓ ଉତ୍ସାହରେ ପରିପୂର୍ଣ୍ଣ ରହେ |

7.  ଭଗବତ ପରାୟଣ ହୁଅ | ଭକ୍ତର କର୍ମଜନୀତ ଓ ପ୍ରାରବ୍ ଧ ସମସ୍ତ ଦୁଃଖ କ୍ଳେଶ ଭଗବାନ ନିଜ ଉପରକୁ ନେଇ ନିଅନ୍ତି |

8. ବାରମ୍ବାର ନିଆଁରେ ଆଉଟା ହେଲେ , ମିଶା ସୁନା ଖାଣ୍ଟି ସୁନାରେ ପରିଣତ ହୁଏ | ଜ୍ଞାନାଗ୍ନି ଦ୍ୱାରା ନିଜକୁ ଖାଣ୍ଟିରେ ପରିଣତ କରିପାରିଲେ ପରିଣାମରେ ପରମ ଆନନ୍ଦ ପ୍ରାପ୍ତି ହୁଏ |   

9. ଶ୍ରଦ୍ଧା ବିହୀନ ପ୍ରାର୍ଥନା ଓ ଭକ୍ତି ଅରଣ୍ୟରେ ରୋଦନ ଭଳି , ଏଣୁ ଶ୍ରଦ୍ଧା ସହିତ ପ୍ରାର୍ଥନା ଓ ଉପାସନା କର |

10.ମିତଵ୍ୟୟୀ ହୁଅ | ବେହିସାବୀ ଲୋକ ବରାବର ଠକେ | ବିଳାସିତ ବର୍ଜନ କର |

11.ଉତ୍ତେଜିତ ହୁଅ ନାହିଁ | ରାଗ ନାହିଁ | ଉତ୍ତେଜିତ ବାୟୁମଣ୍ଡଳ ବା ବାତାବରଣ ରେ ନିଜେ ଶାନ୍ତ ରହିବାକୁ ଚେଷ୍ଟାକର |

12. ଗୋଟିଏ ମୁହୂର୍ତ୍ତର ଉତ୍ତେଜନା ବହୁଦିନର ସଞ୍ଚିତ ସୁଫଳ ନଷ୍ଟ କରିଦିଏ |   

13.  ନିରାଡ଼ମ୍ବର ନିରାମିଷ ଭୋଜନ କର | ଅତିରିକ୍ତ ଲୁଣ ବା ଚିନି ଖାଇବାରେ ଇଛା କ୍ରମଶଃ ଦମନ କର | ଭୋଜନ ଯେଭଳି ହେବ  ଆଚରଣ ମଧ୍ୟ ତଦ୍ରୁପ ହେବ |

14.  ହୃଦୟ ଏକ ଶସ୍ୟ କ୍ଷେତ୍ର ସ୍ୱରୂପ | ଏଥିରେ ଜ୍ଞାନ ରୂପକ ମଞ୍ଜି ବପନ କର | ଜପ ରୂପକ ଜଳ ସେଚନ କର | ନିଷ୍ଠା ଓ ଶୁଦ୍ଧତା ରୂପକ ବାଡ଼ ଦେଇ ଫସଲ ରକ୍ଷାକର | ସମସ୍ତ ଦୁର୍ଗୁଣ ବା ମନ୍ଦ ରୂପକ ଅନାବନା ଘାସସବୁ ବାଛି କ୍ଷେତରୁ ବାହାର କରିଦେଲେ ଅମରତ୍ୱ ଫଳପ୍ରାପ୍ତି ନିଶ୍ଚୟ ହେବ |

15. ବାହାରେ ଭଗବାନଙ୍କୁ ନ ଖୋଜି ନିଜ ହୃଦୟରେ ଖୋଜ | ସର୍ବଦା ସେ ତୁମ ଭିତରେ |

16. ପ୍ରତ୍ୟେକ ବ୍ରାହ୍ମ ମୁହୂର୍ତ୍ତ (ରାତି 3 ଟା ଠାରୁ 4 ଟା ) ମଧ୍ୟରେ ନାମ ସ୍ମରଣ କରି ଶଯ୍ୟା ତ୍ୟାଗ କର | ତାଙ୍କୁ ସ୍ମରଣ କରି ତାଙ୍କର ନାମ  କୀର୍ତ୍ତନ କରି ସ୍ନାନାଦି ନିତ୍ୟକର୍ମ ସମାପନ କର | ନିଜର ଇଷ୍ଟମନ୍ତ୍ର ଅନ୍ତତଃ -ପକ୍ଷରେ ଗୋଟିଏ ମାଳ (108 ଥର ଜପକର) | "ଓଁ ମା " ଗାୟତ୍ରୀ , ଶ୍ରୀରାମ , ଶ୍ରୀକୃଷ୍ଣ , ଓଁ ନମୋ ଭଗବତେ ବାସୁଦେବାୟ , ମହାମନ୍ତ୍ର , ମହାମୃତ୍ୟୁଞ୍ଜୟ ମନ୍ତ୍ର, କିମ୍ବା ନିଜର ଗୁରୁଦତ୍ତ ଯେ କୌଣସି ମନ୍ତ୍ର ଜପ କର |  ଧ୍ୟାନ, ପ୍ରାର୍ଥନା, କୀର୍ତ୍ତନ ଆଦି ଉପାସନା କର | ଭାଗବତ, ରାମାୟଣ, ଗୀତା , ବିଷ୍ନୁସହସ୍ରନାମ, ଚଣ୍ଡୀ ଆଦି ଧର୍ମଗ୍ରନ୍ଥ ଅର୍ଥ ଓ ଭାବ ସହିତ ପାଠ କର | ଅନ୍ତତଃ ପଠିତ ଗ୍ରନ୍ଥ ମଧ୍ୟରୁ ଗୋଟିଏ ଶ୍ଳୋକ ମୁଖସ୍ଥ କର | ରାତିରେ ଶୋଇବା ପର୍ଯ୍ୟନ୍ତ ହୃଦୟରେ  ଈଶ୍ୱରୀୟ  ଚିନ୍ତାଧାରା ଜାଗରୁକ ରହୁ | ପ୍ରାଣାୟାମ, ବ୍ୟୟାମ , ଆସନ ଓ ସୂର୍ଯ୍ୟ ନମସ୍କାର କର |

17. ବିଛଣା ଛାଡିବା ପରେ ଓ ରାତିରେ ଶୋଇବାକୁ ଯିବା ପୂର୍ବରୁ ଭକ୍ତି ସହକାରେ ନିଜର ଇଷ୍ଟ, ଗୁରୁ, ଗୁରୁଜନ, ବାପା, ମା, ଶାଶୁ , ଶ୍ୱଶୁରଙ୍କୁ, ପ୍ରଣାମ କର | ପାଦ ଧୂଳି ମୁଣ୍ଡରେ ଲଗାଅ |

18. କର୍ତ୍ତବ୍ୟ ହିଁ "ଭଗବାନ"| ନିଜ ନିଜର କର୍ତ୍ତବ୍ୟ ସୁଚାରୁ ଭାବରେ ସମ୍ପାଦନ କର | 

19. ଆୟ ର ଏକ ଦଶମାଂଶ ଧର୍ମାନୁଷ୍ଠାନ, ସମାଜ, ଦେଶ , ଦରିଦ୍ର , ଓ ପିଡୀତ ଙ୍କ ସେବାରେ ବ୍ୟୟ କର |

20. ଧର୍ମ ଓ ଧନ ପ୍ରତ୍ୟେହ କିଛି କିଛି ସଞ୍ଚୟ କର |

21. ମୃତ୍ୟୁ କାହାରିକି ଛାଡେ ନାହିଁ | ତାର ସମୟ ଅସମୟ ନାହିଁ | ସର୍ବଦା ତାର ଶାଣିତ ତରବାରୀ ସମସ୍ତଙ୍କ ମୁଣ୍ଡ ଉପରେ ଘୁରୁଛି | କେତେବେଳେ ତାର ଚୋଟ କାହା ମୁଣ୍ଡ ଉପରେ ପଡିବ କହି ହେବ ନାହିଁ | ସର୍ବଦା ମରଣର ଚିନ୍ତା କଲେ କୁକାର୍ଯ୍ୟ କରିବା ପାଇଁ ଇଛା କ୍ରମଶଃ କମିଯାଏ |

22.  ଭୁଲ ପରେ ଭୁଲ, ପାପ ଉପରେ ଆହୁରି ପାପ କରି ନିଜର ପାପ ବୋଝ ଆଉ ବଢ଼ାଅ ନାହିଁ | ବିଗତ କୁକର୍ମ ବା ଭୁଲ ପାଇଁ, ଆଜିଠୁ ବର୍ତମାନ ଠାରୁ ପ୍ରାୟଶ୍ଚିତ ଆରମ୍ଭ କରିଦିଅ | ଏହି ମୁହୂର୍ତ୍ତ ରୁ ଈଷ୍ଟ ଙ୍କ ଠାରେ ସମ୍ପୂର୍ଣ ସମର୍ପଣ କରିଦିଅ | ତାଙ୍କରି ଶରଣ ନେଇନିଅ | ବଡ ଦୟାଳୁ କ୍ଷମାଶୀଳ | ତୁମର ଭୁଲ ବା କୁକର୍ମ ଜନୀତ ସମସ୍ତ ପାପ ତାପ ରୁ ତୁମକୁ ମୁକ୍ତ କରିବା ପାଇଁ ସେ ବଡ଼ ଉଦ୍ଗ୍ରୀବ | ଦିବ୍ୟତ୍ୱ, ଅମୃତତ୍ୱ , ପ୍ରଦାନ କରି , କୋଳେଇ ନେବା ପାଇଁ ତାଙ୍କର ବଳିଆର ବାହୁ ବିସ୍ତାର କରି ସେ ତୁମକୁ ଅନାଇ ରହିଛନ୍ତି |   

23. ସତ୍ୟ, ସଂଯମ , ସାଧନା , ସ୍ୱାଧ୍ୟାୟ , ସେବା ତୁମର ବ୍ରତ ହେଉ |

24 ଭଗବାନ, ସଦ୍ଗୁରୁ , ଗ୍ରାମ , ସମାଜ , ଦେଶ , ଅତିଥି , ରୋଗୀ , ନିରାହାରୀ , ନିରାଶ୍ରୟ , ଗୋମାତା ଙ୍କର ସେବା କର |

25. ସତ୍, ପବିତ୍ର , କର୍ତ୍ତବ୍ୟନିଷ୍ଠ , ସଦାଚାରୀ, ବିଶ୍ୱାସୀ, ପରୋପକାରୀ, ବ୍ରହ୍ମଚାରୀ , ଅକ୍ରୋଧୀ, ଓ ଅକପଟ ହୁଅ |

ଶକ୍ତି ସ୍ୱରୂପିଣୀ "ଓଁ ମା" ଙ୍କ କରୁଣାରୁ ତୁମର ଆଧ୍ୟାତ୍ମିକ ତଥା ବୈଷୟିକ କର୍ମକ୍ଷେତ୍ର ଉଜ୍ଜ୍ଵଳ ହେଉ | 

ଜଗତର ମଙ୍ଗଳ ହେଉ |

||ଓଁ ଶାନ୍ତି ||    


*********************************************************************

--ଦୁଇ--


ଅମାନିଆ ମନ ଉପରେ ତୀକ୍ଷ୍ମ ଦୃଷ୍ଟି ଦିଅ | କାମ, କ୍ରୋଧ , ଲୋଭ , ଅଭିମାନ , ମୋହ ପ୍ରଭୃତି ରିପୁଗଣ, ଏହି ମାୟାପୁରୀ ମନ ଭିତରେ ଲୁଚି ରହିଛନ୍ତି | ସାଧାରଣ ଦୃଷ୍ଟି ରେ ଏ କୁହୁକ ରାଜ୍ୟ ବା ମାୟା ପୁରୀରେ ସେମାନଙ୍କ ପତ୍ତା ମିଳେନାହିଁ | ସୁବିଧା ସୁଯୋଗ ପାଇଲା କ୍ଷଣୀ ଏମାନେ ଆଖି ପିଛୁଳାକେ ପ୍ରକଟିତ ହୋଇଯାଆନ୍ତି | ଆଉ ସାରା ଜୀବନର ବହୁ କଷ୍ଟରେ ଉପାର୍ଜନ କରି ରଖିଥିବା ସଦ୍ଗୁଣ ଓ ଭାବନା ରୂପକ ବହୁ ମୂଲ୍ୟ ସମ୍ପତ୍ତିକୁ ଲୁଣ୍ଠନ କରି ନିଅନ୍ତି, ଯାହା ପୁଣିଥରେ ପୂରଣ କରିବା ଅତି କଷ୍ଟକର |

ନିଜକୁ  ନିର୍ଭୟ ଭାବି କଦାପି ନିଶ୍ଚିତ ଓ ଅସାଵଧାନ ହୁଅନାହିଁ | ଏହି ଦସ୍ୟୁ ମାନଙ୍କର ବାଳୁଙ୍ଗା ବୀଜ ଗୋଟିକ ଠାରୁ ମୂଳ ଖୋଜି ଉପାଡି ଦେବାକୁ ଚେଷ୍ଟା କର | ବହୁ ମଧୁର ଓ ଚାଟୁ ବାକ୍ୟରେ ତୁମକୁ ଭୁଲାଇବା ପାଇଁ ଏମାନେ ବହୁ ପ୍ରୟାସ କରିବେ | ସେମାନଙ୍କୁ ତୁମ ଭିତରେ ଅଳ୍ପ ଟିକିଏ ସ୍ଥାନ ଦେଲେ ତୁମର କିଛି କ୍ଷତି ହେବନାହିଁ ବା ସେମାନେ ତୁମର ମୋଟେ କିଛି ଅନିଷ୍ଟ କରିବେ ନାହିଁ ବୋଲି ତୁମକୁ ଅଳି କରିବେ କଟାଳିବେ | କଦାପି ସେମାନଙ୍କ ଭୁଲାଣିଆ କଥାରେ ଭୁଲ ନାହିଁ | ଟିକିଏ ଖାଲି ଉଙ୍କି ମାରିଲାକ୍ଷଣି ସେମାନଙ୍କୁ ଠେଲି ବାହାର କରିଦିଅ |        

କାମୀ, କ୍ରୋଧୀ, ମୋହଗ୍ରସ୍ତ, ଲୋଭୀ, ଈଶ୍ୱର- -ଅବିଶ୍ୱାସୀ, ତାର୍କିକ, ଅସତ୍, ଓ ଲୋଭୀ ମାନଙ୍କ ସଙ୍ଗ ପରିତ୍ୟାଗ କର |
ଅନ୍ୟକୁ ନିନ୍ଦା କରିବା ଦ୍ୱାରା , କୁଭାଷା ବ୍ୟବହାର ଦ୍ୱାରା ନିଜର ବାକ୍ୟ କଳୁଷିତ ହୁଏ | କାହାରି ନିନ୍ଦା କରନାହିଁ | ଅନ୍ୟକୁ ନିନ୍ଦା କଲେ ତାଙ୍କ ପ୍ରତି ବୈରୀ ଭାବ ଜାଗ୍ରତ ହେବ, ଆଉ ଚିତ୍ତରେ କୁସଂସ୍କାର ଚିତ୍ର ଅଙ୍କିତ ହୋଇଯିବ |  

ଯିଏ ନିଜେ ଦୋଷୀ, ସେ ଅନ୍ୟର ଦୋଷ ଖୋଜି ବୁଲେ | ସେ ନିଜର ଦୋଷ ଲୁଚେଇବାକୁ ଚେଷ୍ଟା କରେ | ସାଧୁ ସର୍ବଦା ସର୍ବତ୍ର ସାଧୁତା ଅନ୍ୱେଷଣରେ ବ୍ୟସ୍ତ | ତୁମେ ସାଧୁ | ହଂସ ଭଳି କେବଳ ଦୁଧତକ ଗ୍ରହଣ କରି, ପାଣିତକ ପରିତ୍ୟାଗ କଲାଭଳି ଏମାନେ ଦୋଷ ତ୍ୟାଗ କରି କେବଳ ଗୁଣ ଗ୍ରହଣ କରନ୍ତି |

ତୁମେ ଅନେକ କୀର୍ତ୍ତି କରିଛ, ଗରିବ ମାନଙ୍କୁ ବହୁତ ଦାନ ଦେଉଚ , ଦୁଃସ୍ଥ ପିଲାଙ୍କୁ ପାଠ ପଢ଼ାଉଛ , ଡାକ୍ତରଖାନାକୁ ବହୁ ଦାନ କରିଛ | ଅନେକ ବଡ ବଡ଼ କାମ କରିଛ , କଅଣ ହେଲା ସେଇଠୁ  |  କଅଣ ମିଳିଲା ସେ ସବୁରୁ ? ଏବେତ ନିହାତି ପାପ କର୍ମ ଲୁଚାଇ କରି ଚାଲିଛ | ଅନ୍ୟକୁ ଲୁଚାଇ ପାରିବ କେତେ ଦିନ | ନିଜ ପାଖରେ ତୁମ ଭିତରେ ସଦା ଜାଗ୍ରତ ଈଷ୍ଟ ଙ୍କ ଠାରେ ତ ଲୁଚାଇବାର ସାହସ ତୁମର ନାହିଁ | ପ୍ରବାଦ ଅଛି -"ଲୁଚିଛି ନା ......" ଯେ ପର୍ଯ୍ୟନ୍ତ ତୁମର ଏ ଲୁଚା ଢଙ୍ଗ ନ ଛାଡିଛ, ଲୁଚେଇ ଲୁଚେଇ ଗେଙ୍ଗୁଟିକୁ ଗୁଡ଼ ବୋଲି ଭାବି , ଅନ୍ଧାରରେ ଗିଳି ଚାଲି ଥିବ | ଥରେ ଅଟକିଯିବ ତଣ୍ଟିରେ | ଏ ଚୋର ପ୍ରବୃତ୍ତି ନ ଛାଡିବା ପର୍ଯ୍ୟନ୍ତ , ତୁମେ ତୁମର ମାନସିକ ଅଶାନ୍ତି  ସନ୍ତାପ , ନରକ ଯନ୍ତ୍ରଣା ବା ଦୁଃଖ କଷ୍ଟରୁ କେବେ ହେଲେ ମୁକ୍ତି ପାଇପାରିବ ନାହିଁ |  


ଏବେବି ସମୟ ଅଛି | ଆଉ କେଳାଙ୍କ କୁହୁକ ବାଦ୍ୟରେ ଭୁଲନାହିଁ | ଈଶ୍ୱରଙ୍କୁ ବା ତାଙ୍କର ମଧୁମୟ  ନାମକୁ ଅନ୍ତରରେ ବିରାଜିତ କରାଅ |ପୂଜା ଅର୍ଘ୍ୟ ଦେଇ ହୃଦୟ ରାଜ୍ୟରେ ତାଙ୍କୁ ପ୍ରତିଷ୍ଠିତ କର !  

ଅନ୍ୟର ଐଶ୍ଵର୍ଯ୍ୟ ରେ ଈର୍ଷା କର ନାହିଁ | ନିଜ ଖାଦ୍ୟରୁ ମୁଠାଏ ଅନ୍ୟକୁ ଦିଅ | ଦୁଖୀ, ଦରିଦ୍ର, ଧର୍ମାନୁଷ୍ଠାନକୁ ଆହାର ଓ ସାହାଯ୍ୟ କରିବା , ଆଉ ସୁଖୀର ସୁଖରେ ସୁଖୀ ହେବା ହିଁ -ସେବା | ସମସ୍ତଙ୍କର ମଙ୍ଗଳ କାମନା କର | ନିରାନନ୍ଦ -ନରକ ଆଉ ଆନନ୍ଦ ହିଁ ସ୍ୱର୍ଗ | ନିରାନନ୍ଦ ତ୍ୟାଗ କରି ବିଶୁଦ୍ଧ ଆନନ୍ଦରେ ନିମଗ୍ନ ହୁଅ | ନିତ୍ୟାନନ୍ଦ- ତୁମରି ଭିତରେ, ଅତି ନିକଟରେ | ଖାଲି ଅଳ୍ପ ଟିକିଏ ଚେଷ୍ଟା | ବିଶୁଦ୍ଧାନନ୍ଦ ଭାବରେ ଅଗ୍ରସର ହୋଇ ପ୍ରେମାନନ୍ଦ ସହ ମିଶିଯାଅ |

-ଓଁ  ଶାନ୍ତି -

*********************************************************************

-ତିନି -
ଅଢେଇ ଦିନିଆ ଏ ଜୀବନ | ଆଉ ଟିକିଏ ପରେ ରହିବ କି ନାହିଁ ଠିକଣା ନାହିଁ | ଏସବୁ ଜିନିଷ ସଂସାରରେ ଯାହା ଦେଖୁଛୁ ସବୁ ଦି ଦିନିଆ ଅସ୍ଥାୟୀ | ତେବେ ଏ ଦି ଦିନିଆ ଜୀବନ ପାଇଁ କାହିଁକି ଏତେ ଚିନ୍ତା, ଏତେ ଭାବନା କରୁଛୁ ? କାହିଁକି ଏତେ ଲୋଭ ? କେତେ ବଡ ବଡ ଧନୀ ମାନୀ, ଐଶ୍ଵର୍ଯ୍ୟବାନ ଲୋକ ସବୁ ଚାଲିଗଲେ | କଅଣ କିଛି ନେଇ ଯାଇ ପାରିଲେ ? ଯିବାବେଳେ ସାମାନ୍ୟ କୁଟାଖିଅଟିଏ ବି ନେଇ ହେବ ନାହିଁ ସଙ୍ଗରେ | କହୁଛୁ "ମୁଁ ଭୋଗ ନକଲେ, ମୋ ପୁଅ ନାତି ଭୋଗ କରିବେ,--ଯାହା କିଛି କରୁଛି ବା ଅର୍ଜନ କରୁଛି "| ତୁ'ତ ନେଇ  ପାରିବୁ ନାହିଁ | ତୋ'ଠୁଁ  ସେମାନେ ବେଶି ଵାହାଣିଆ କେବେ ହୋଇ ପାରିବେ ନାହିଁ | ତୁ'ତ ଏତେ କରି ଖାଲି ହାତରେ ଯିବୁ | ଆଉ ସେମାନଙ୍କ ଅବସ୍ଥା ବି ସେହିଆ ହେବ | ତେବେ ଏହି ଅନିତ୍ୟ ବସ୍ତୁ ସଂଗ୍ରହ ରେ ଲାଗିପଡ଼ି କାହିଁକି ଏ ଅନିତ୍ୟ ଜୀବନକୁ ତିଳ ତିଳ କରି କ୍ଷୟ କରି ଚାଲିଛୁ ?


ରାବଣ ଓ କଂସାସୁର ଭଳି ପ୍ରତାପୀ, ହିରଣ୍ୟ କଶ୍ୟପୁ  ଭଳି ବିଶ୍ୱ-ବିଜୟୀ, ସହସ୍ରାର୍ଜୁନ ଭଳି ମହା ଯୋଦ୍ଧା ଆଉ ଏ ଯୁଗର ହିଟଲର ଭଳି ଦୁର୍ଦ୍ଧାନ୍ତ ମଣିଷକୁ, ମରଣ ଛାଡ଼ିନାହିଁ | ପ୍ରତିଦିନ ଅସଂଖ୍ୟ ଲୋକଙ୍କ ତଣ୍ଟିଚିପି ଦେଉଛି | ତା ପାଖରେ ଛୋଟ, ବଡ, ପିଲା, ଯୁବକ, ଯୁବତୀ, ବୁଢା, ବୁଢ଼ୀ ସବୁ ସମାନ | କାହାରିକୁ ସେ ଛାଡେ ନାହିଁ | ଦିନ୍ ଦେଖୁଛୁ, ଶୁଣୁଛୁ, ପଢ଼ୁଛୁ, ଶହ ଶହ ମରୁଛନ୍ତି  | ଏତେ ଜାଣି ଶୁଣି ତୋର ମରଣ ହେବ ନାହିଁ ଭାବି ନିଶ୍ଚିତ ହୋଇ ବସିଛୁ |  ମୃତ୍ୟୁ କଅଣ ତୋର ଘନିଷ୍ଠ ବନ୍ଧୁ ? ସମସ୍ତଙ୍କୁ ନେବ, ତୋତେ ଅତି ନିକଟ ସମ୍ପର୍କିୟ ବନ୍ଧୁ ଭାବି ଛାଡି  ଦେବ ? କେଉଁ ଗୁଣରେ କେଉଁ ବଳରେ ତୁ ମରଣର ଚିନ୍ତା ନକରି, ଆଜି ଯେ ମରଣର ଶୀକାର ନ ହେବୁ ବୋଲି ଭାବୁଛୁ ? ଆଉ ହେଣ୍ଡି ମାରି ବୁଲୁଛୁ| |


ଏଠି ଏଇ ଦି ଦନିଆ ଜୀବନରେ ତୋର ବହୁତ ନାଁ ହୋଇ ଯାଇଛି | ଧନୀ ଭାବରେ, ବଡ ବ୍ୟବସାୟୀ ଭାବରେ, ବଡ଼ ଚାଷୀ ଭାବରେ, ବଡ଼ ରାଜନିତୀ ଵାଲା ବା  ମାମଲତକାର, ଟାଉଟର, ବଡ଼ ହାକିମ ହୁକୁମା , କବି, ଲେଖକ ବା ସମାଲୋଚକ ଭାବରେ , ଲୋକେ ତୋତେ ବହୁତ ମାନୁଛନ୍ତି | କଣ ହେଲା ସେଇଠୁଁ ? ତୋର ଏ ଖଞ୍ଜା ବା ଅନିତ୍ୟ ନାମ ଓ ଦେହଟିକୁ ପୂଜା କରୁଛନ୍ତି ଫୁଲ ଚନ୍ଦନ ଦେଇ | କେଇଦିନ ରହିବ ତୋର ଏ ବାପା ମା ଦେଇଥିବା ନାଁ ଆଉ ଏ ମାଟିରେ ମିଳେଇ ଯିବା ଦେହ ?
 

ଜନ୍ମ ଆଉ ମରଣ--ଗୋଟିଏ ଚକରେ  ଘୁରୁଛନ୍ତି | ମଣିଷ ବା ଜୀବ ଏହି ଚକରେ ଛାନିଆ ମାନିଆ ହୋଇ ବରାବର ଘୁରି ଚାଲିଛି | ଏହି ଚକ୍ର ରୁ ମୁକ୍ତି ହୋଇଗଲେ ସବୁ ଅଶାନ୍ତି, ସବୁ ଦୁଃଖ -ଶୋକ ରୁ ମୁକ୍ତି ମିଳେ | ଯାହାଠାରୁ ଯେଉଁଠାରୁ ସୁଖ ଶାନ୍ତି ପାଇବା ପାଇଁ ଆଜି ଏତେ  ଦଉଡା  ଧାପଡା  କଲୁ କେଇଦିନ ରହିଲା ସେ ? ତାପରେ ପରେ କଣ ପାଇଛୁ ବା ପାଇଲୁ? ଚିନ୍ତାକର ଟିକେ ଭଲା  | ସତ୍, ଆନନ୍ଦ , ପବିତ୍ର, ସଫଳତାର ଉତ୍ସ ଶକ୍ତିରୁ  ନିୟନ୍ତା ଙ୍କଠାରୁ ତୁ ଆସିଛୁ |  ଭୁଲିଯାଉଛୁ ତୁ ଆଉ ସିଏ ଏକ | ତୁ ଶରୀର ବା ନାମ ନୋହୁ | ତୁ ଶକ୍ତି -ତୁ ଭଗବାନଙ୍କ ଅଂଶ | କାମ, କ୍ରୋଧ, ହିଂସା, ଅହମିକା, ଛଳନା ତୋର ସ୍ଵଭାଵ ନୁହେଁ | ଏସବୁ ଧୂଳି ମଇଳା ଭଳି ଲାଗି-ଯାଇଛନ୍ତି | ତୁ ନିଜକୁ ଶକ୍ତି ବୋଲି ଭାବିନେଲେ ମଇଳା, ଆବର୍ଜନା ସବୁ ସଫା ହୋଇଯିବ | ସତ୍ ପବିତ୍ରତା ସଫଳତାର ତେଜଷ୍କ୍ରିୟ ଚିନ୍ତନ ଏସବୁ ଧୂଳି ମଇଳା କୁ କ୍ଷଣିକ ରେ ଜାଳି ପାଉଁଶ କରିଦେବ |  


ମା ଗର୍ଭରେ ଥିଲା ବେଳେ ପଚା ପୂଜ , ରକ୍ତ , ନାଳ, ମଳ, ମୂତ୍ରରେ ଘାଣ୍ଟି ହୋଇ, କୀଟ, କୀଟାଣୁଙ୍କ କାମୁଡ଼ାରେ ଛଟପଟ ହେଉଥିଲୁ | କାନ୍ଦିକାଟି ନେହୁରା ହୋଇ ଠାକୁରଙ୍କୁ କହୁଥିଲୁ, "ମୋତେ ଏ ନର୍କ ଯନ୍ତ୍ରଣା ରୁ ମୁକ୍ତ କରିଦିଅ ଠାକୁରେ | ଏଥର ମୁଁ ତୁମ ଆଜ୍ଞା ପାଳନ କରିବି | ତୁମରି ପାଇଁ ସର୍ବଦା କର୍ତ୍ତବ୍ୟ କରିବି | ଆଉ ମୋଟେ  ଭୁଲିବି ନାହିଁ ତୁମକୁ | ଆଉ କେବେବି ଭୁଲ, ଅନ୍ୟାୟ, ପାପ, କରିବି ନାହିଁ | ସବୁବେଳେ ତୁମକୁ ସ୍ମରଣ କରିବି | ତୁମର ନାମ ନେବି |"   ଏବେ ସେ ପ୍ରତିଜ୍ଞା ଏତେ ଶୀଘ୍ର ଭୁଲିଗଲୁ | ମିଛ, ମାୟା, ଅହଂକାରରେ ପୁରା ଜଡ଼ସଡ଼ ହୋଇଗଲୁ | ପୁଣି ସେହି ଅସହ୍ୟ ନରକ ଯନ୍ତ୍ରଣା ଭୋଗିବା ବାଟ କାହିଁକି ଧରୁଛୁ କହିଲୁ ?


ଏଠି ତ ସବୁବେଳେ ତୋତେ ଟିକସ ଦେବାକୁ ପଡୁଛି |  ରାସ୍ତା ଟିକସ, ଜମି ପାଇଁ ଟିକସ, ଗାଡି ପାଇଁ ଟିକସ, ପାଣି ଟିକସ , ଆମୋଦ କରିବା ପାଇଁ ଟିକସ, ବେଶୀ ପଇସା ହେଲେ ଟିକସ, ଯାହା ତୁ ସକାଳଠୁ ସଞ୍ଜ ଯାଏ ବ୍ୟବହାର କରୁଛୁ ସବୁ ପାଇଁ ଟିକସ ଦେଉଛୁ ସରକାରଙ୍କୁ | ଯେତେ ବାଧିଲେ ବି ଅତରଛିଆ ହୋଇ ସବୁ ଟିକସ ଦେଉଛୁ | ଆହୁରି ଚାକିରୀ କରିବାପାଇଁ ଟିକସ, ବଦଳି ପାଇଁ ଟିକସ, ପରୀକ୍ଷା ରେ ପାଶ୍ କରିବାକୁ ଟିକସ, ମକଦ୍ଧମାରେ ଜିଣିବାକୁ ଟିକସ (ଏସବୁ ଅବଶ୍ୟ ଖୋଦ ସରକାର ଙ୍କୁ ନ ହେଲେ ବି ) ଦେବାକୁ ବାଧ୍ୟ | ଆଛା କହିଲୁ ଦେଖି ପବନ ପାଇଁ , ସୂର୍ଯ୍ୟ ଙ୍କ ଉତ୍ତାପ ପାଇଁ, ଆଉ ପାଣି ପାଇଁ କେତେ ଟିକସ ଦେଉଛୁ- ଏସବୁ ଯେଉଁ ସ୍ରଷ୍ଟା ଭଗବାନଙ୍କର | ଇଲେକଟ୍ରିକ ବିଲ୍ ନ ଦେଲେ, ତୋର ଲାଇନି କାଟି ଦିଆଯାଉଛି , ଘରଟା ବିଲ ନ ଦେଲେ ନିଲାମ ହେଉଛି | କୌଣସି ଟିକସ ଫାଙ୍କିବାରେ ଯୁ ନାହିଁ |  ଆଛା କହିଲୁ --ଆଲୋକ ପାଇଁ , ପାଣି ପାଇଁ, ପବନ ପାଇଁ କଅଣ କିଛି ଟିକସ ଦେଉଛୁ ? ଗୋଟିଏ ମୁହୂର୍ତ୍ତ ପବନ ଆଲୋକ ଆଉ ପାଣି ଛଡା ବଂଚିବୁତ ? ଯିଏ ଏସବୁ ତୋତେ ଡିମାଣ୍ଡ ନୋଟିସ ନ ଦେଲେ, ଏଯାଏ ତୋ ଚାହିଦା ମୁତାବକ ଯୋଗାଇ ଚାଲିଛନ୍ତି ତାଙ୍କୁ କଅଣ  ତୋର କିଛି ଟିକସ ଦେବାର ନାହିଁ ? ଅନ୍ୟାନ୍ୟଙ୍କ ଭଳି, ସରକାରଙ୍କ ଭଳି ସେ ଟଙ୍କା   ଆକାର ରେ ଟିକସ ଚାହାନ୍ତି ନାହିଁ | ତାଙ୍କୁ ଖାଲି ଟିକେ ମନେ  ପକେଇବା ପାଇଁ , ସବୁବେଳେ ତାଙ୍କରି ନାମ ନେବା ପାଇଁ, ଆଉ ତୁ ନିଜେ କିଏ ଏତିକି ତୁ କିପରି ଜାଣ ଏତିକି ତୋ ଠୁଁ ଚାହାଁନ୍ତି | ତୋ ବକେୟା ଟିକସକୁ ଖାତାରୁ କାଟି ଦେଇଛନ୍ତି ସେ | ହାଲ ଟିକସ ଏବେଠୁଁ  ତାଙ୍କୁ ନିୟମିତ ଭାବରେ ଦେଇଦେ ଆଜିଠୁଁ , ଏବେଠାରୁ | କଅଣ କହୁଛୁ ?        


ଭୁଲିଯାଇ ଏଯାଏଁ ଯାହାତ ଭୁଲ କରିଗଲୁ | ଜୀବନର ଯେତିକି ଦିନ ଆଉ ତୋର ବାକି ଅଛି, ସେତିକି ଦିନ ଅନ୍ତତଃ ତାଙ୍କର ସ୍ମରଣ ଭଜନରେ କଟାଇଦେ | ଅବଶିଷ୍ଟ ଜୀବନକୁ ସଫଳ କର | ସେହି ସତ୍, ଚିତ୍, ଆନନ୍ଦ ସ୍ୱରୂପ ମହାଶକ୍ତି ବା ପରମେଶ୍ୱରଙ୍କୁ ପାଇବା ପାଇଁ ଆଉ ହେଳା କାହିଁକି କରୁଛୁ ? ଏ ଶରୀର ସବଳ ଓ ସୁସ୍ଥ, ମନ--ପ୍ରଵୃଦ୍ଧ, ଆଉ ବୁଦ୍ଧି କାମ କରୁଥିବା ପର୍ଯ୍ୟନ୍ତ ସେମାନଙ୍କୁ ତୋ ନିଜର ଚରମ ଲକ୍ଷ୍ୟ ରେ ପହୁଞ୍ଚିବା ଦିଗରେ ଲଗାଇବାକୁ ଚେଷ୍ଟାକର | ଏମାନେ ଅସମର୍ଥ ହୋଇଗଲେ କିଛି କରି ପାରିବୁ ନାହିଁ | ଆଉ କାହିଁକି ଡେରି କରୁଛୁ ? ଏବେ ଚେତିବୁତ ?
 ||ଓଁ ଶାନ୍ତି ||  


*********************************************************************


-ଚାରି -
1| ତୁମର ଅଧିକାର କର୍ମରେ -ଫଳରେ ନୁହେଁ | ଫଳ ସମ୍ବନ୍ଧ ରେ ମୋଟେ ଭାବ ନାହିଁ | ସିଦ୍ଧି --ଅସିଦ୍ଧି ରେ ସମଜ୍ଞାନ ହୁଅ | କୌଣସି ଲୋକକୁ ସାହାଯ୍ୟ କଲାବେଳେ, ତାଙ୍କ ଠାରୁ ପ୍ରତି ଉପକାର ର ଆଶା ରଖ ନାହିଁ | କୌଣସି ଶୁଭକାର୍ଯ୍ୟ କରିବାକୁ ଯିବା ସମୟରେ ତା'ର ଫଳାଫଳ ଆଡ଼କୁ ଦୃଷ୍ଟି ଦିଅନାହିଁ |
2 |  କର୍ତ୍ତବ୍ୟ କର୍ମ ମଧ୍ୟରେ ଛୋଟ ବଡ଼ ନାହିଁ | ଫଳ ନ ପାଇଲେ ସକାମୀ ବ୍ୟକ୍ତି ବିରକ୍ତି ପ୍ରକାଶ କରେ | ନିଷ୍କାମ କର୍ମୀ ପକ୍ଷରେ ସବୁ କର୍ତ୍ତବ୍ୟ ହିଁ ସମାନ | ସେ କର୍ତ୍ତବ୍ୟ କର୍ମକୁ ମୁକ୍ତି ର ସହାୟକ ବୋଲି ମାନେ କରନ୍ତି | ଏହାଦ୍ୱାରା ତାଙ୍କର ସ୍ୱାର୍ଥପରତା, ଇନ୍ଦ୍ରିୟ ପରାୟଣତା, ସମୂଳେ ନଷ୍ଟ ହୋଇ ଯାଏ | ସମ୍ପୂର୍ଣ୍ଣ ନିଃସ୍ୱାର୍ଥପରତା ଭାବ ସହଜରେ ଆସେ ନାହିଁ | ଏଣୁ ପ୍ରତ୍ୟହ ଅଳ୍ପ ଅଳ୍ପ କରି ଏହା ଅଭ୍ୟାସ କର | ଯିଏ ସବୁ କାର୍ଯ୍ୟ ରେ ବିରକ୍ତି ପ୍ରକାଶ କରନ୍ତି, ତାଙ୍କ ପକ୍ଷରେ ନିଷ୍କାମ କର୍ମୀ ହେବା କଠିନ | ଯାହାଙ୍କର ମସ୍ତିଷ୍କ ଶୀତଳ, ଶାନ୍ତ, ଯିଏ ସର୍ବଦା ଧୀର ଓ ବିଚାରବନ୍ତ , ଯାହାଙ୍କ ହୃଦୟ ସର୍ବଦା ପ୍ରେମ, ସହାନୁଭୂତି ରେ ପରିପୂର୍ଣ୍ଣ , ସେ ସଂସାରରେ ଯେ କୌଣସି ମହତ୍ କର୍ମ କରିବାକୁ ସମର୍ଥ ଏବଂ ନିଜର ମଧ୍ୟ ଅଶେଷ କଲ୍ୟାଣ ସାଧନ କରିପାରନ୍ତି |
3 |  ଭୂଇଁ ବା ମାଟି ଉପରେ ବସି ଜପ, ଧ୍ୟାନ, ଉପାସନା ଆଦି କରିବା ଉଚିତ ନୁହେଁ |  ଏହି ସମୟରେ ଯେଉଁ ଶକ୍ତି ବା ତଡ଼ିତ ଶରୀର ରେ ଉତ୍ପନ୍ନ ହୁଏ ତାହା ମାଟି ସହ ମିଶିଯାଇପାରେ | ଏଣୁ ଆର୍ଯ୍ୟ ଋଷି -ମାନେ କୁଶାସନ ବା କମ୍ବଳାସନ ଆଦିର ବ୍ୟବସ୍ଥା କରି ଯାଇଛନ୍ତି | 

 
4 |  ସାଧନା ବା ଉପାସନା କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ କରିବାକୁ ହୁଏ | ଏହାଦ୍ୱାରା ସ୍ଥାନଟିରେ କ୍ରମଶଃ ଶକ୍ତି ସଞ୍ଚାର ହୁଏ | ଏପରି ହେବା  ଦ୍ୱାରା, ଏହି ସ୍ଥାନରେ ବସିବା ମାତ୍ରେ ଚିତ୍ତ ମନ ସ୍ଥିର ହୋଇଯାଏ |


5 |  ଯୌବନ ହିଁ ଜୀବନର ସନ୍ଧି କାଳ |ଏହି ସମୟରେ ମନୁଷ୍ୟ, ପଶୁତ୍ବ  ବା ଦେବତ୍ୱ ପ୍ରାପ୍ତ କରିଥାଏ | ଏହି ସମୟରେ ଦୃଢ଼ ଅଧ୍ୟବସାୟ ସହିତ ଆସକ୍ତି କଣ୍ଟକ ପୂର୍ଣ୍ଣ ବାଧା ବିଘ୍ନ , ବୀର ଭଳି ପଦଦଳିତ କରି , ସଦ୍ଗୁରୁ ପ୍ରଦର୍ଶିତ ପଥରେ ଅଗ୍ରସର ନ ହେଲେ ସାରାଜୀବନ ବଜ୍ରାହତ ତରୁ  ଭଳି ଜୀବନ ଯାପନ କରିବାକୁ ପଡିଥାଏ |  



-ପାଞ୍ଚ -
ପରମାତ୍ମା ଙ୍କୁ ଡାକିବା ପାଇଁ ପଡେ |  କିନ୍ତୁ ନିଜ ଲୋକଙ୍କୁ ବା ଆପଣାର ଲୋକଙ୍କୁ ଡାକିବା ଆବଶ୍ୟକ ହୁଏ ନାହିଁ | ପ୍ରଭାସ ଯଜ୍ଞ ପାଇଁ ଭଗବାନ ଶ୍ରୀକୃଷ୍ଣ, ସ୍ୱର୍ଗ , ମର୍ତ୍ତ୍ୟ , ପାତାଳ, ତିନି ଲୋକ ର ପ୍ରତ୍ୟେକଙ୍କୁ ନିମନ୍ତ୍ରଣ କଲେ | କିନ୍ତୁ ବ୍ରଜବାସୀମାନଙ୍କୁ କିଛି ଖବର ବି ଦେଇନାହାନ୍ତି ବିନା ନିମନ୍ତ୍ରଣ ରେ ସେମାନେ ଶ୍ରୀକୃଷ୍ଣ ଙ୍କୁ ଦର୍ଶନ କରିବା ପାଇଁ ଆସିଲେ | ପିତା ନନ୍ଦ , ମାତା ଯଶୋମତୀ, ପ୍ରେମମୟୀ ରାଧା ଆଉ ବ୍ରଜର ସବୁ ଗୋପାଳ ଓ ଗୋପାଙ୍ଗନାମାନେ, ଯଜ୍ଞର ପ୍ରବେଶ ଦ୍ୱାର ଓ ଯଜ୍ଞ ସ୍ଥଳରେ   ଶ୍ରୀକୃଷ୍ଣଙ୍କ ଦୂତ ଓ ଦ୍ୱାରପାଳ ମାନଙ୍କ ଦ୍ୱାରା କେତେଯେ ଅପମାନ, ନିର୍ଯ୍ୟାତନା ଓ ଲାଞ୍ଚନା ସହ୍ୟ କରିଛନ୍ତି ତାହା ଅକଥନୀୟ | ଶେଷରେ ନିଜେ ଶ୍ରୀକୃଷ୍ଣ ଅସ୍ତବ୍ୟସ୍ତ ହୋଇ ପ୍ରତ୍ୟେକଙ୍କୁ ଯେଉଁ ହାର୍ଦ୍ଧିକ ଅଭ୍ୟର୍ଥନା କରିଛନ୍ତି, ପ୍ରତ୍ୟେକଙ୍କୁ ନିଜ ହୃଦୟର ସ୍ବର୍ଗୀୟ ସ୍ପର୍ଶ ଦେଇ କୃତାର୍ଥ କରିଛନ୍ତି | ସବୁ ଲାଞ୍ଚନା ସେମାନେ ସହିଛନ୍ତି | କାହିଁ ? ତେବେବିତ, ସେମାନେ, ନିଜର ଲୋକ ଆପଣାର ଲୋକଙ୍କଠାରେ ରାଗ ବା ଅଭିମାନ କଲେନାହିଁ | ଆହା  କେଡେ ମଧୁର ଦୃଶ୍ୟ ଏ | ଏହାହିଁ ଆପଣାର ଆଉ ପରର ପରୀକ୍ଷା |     


ସମସ୍ତ ଭକ୍ତି ସ୍ରୋତ ଭଗବାନଙ୍କ ଠାରୁ ଆରମ୍ଭ | ଯାହାଙ୍କ ମନରେ ଭଗବାନଙ୍କ ବ୍ୟତୀତ ଅନ୍ୟ ଚିନ୍ତା ନଥାଏ ସେ ହିଁ ପ୍ରକୃତ ସାଧୁ | 

ବିଶ୍ୱାସରୁ - -ଦର୍ଶନ ବା ସାକ୍ଷାତକାର , ବିନୟରୁ --ଉନ୍ନତି , ସତ୍ୟରୁ --ମମତା ,ପ୍ରେମରୁ --ଆନନ୍ଦ, ଧୈର୍ଯ୍ୟ ରୁ ଶାନ୍ତି , ବୈରାଗ୍ୟରୁ --ଜ୍ଞାନ , ସମର୍ପଣରୁ ଭକ୍ତି ଏବଂ ପୂର୍ଣ୍ଣ ନିର୍ଭରତା ଓ ସମ୍ପୂର୍ଣ୍ଣ ସମର୍ପଣ ଦ୍ୱାରା ଭଗବତ୍ କୃପା ଲାଭ ହୁଏ |

'ମନ ଦେଇଥାଏ ଏଣେ ତେଣେକୁ | ହାତ ପାତି ଥାଏ -----------' ରାତି ଦିନ କେବଳ ଧର୍ମ କଥା, ପ୍ରବଚନ, ଆଦି ଦ୍ୱାରା ବିଷୟୀ ଲୋକଙ୍କୁ ପରିବର୍ତ୍ତନ କରା-ଯାଇପାରେନାହିଁ | କଙ୍କ୍ରିଟ୍ କାନ୍ଥରେ ଲୁହାକଣ୍ଟା ମୋଟେ ପଶିପାରେ ନାହିଁ | କଣ୍ଟା ଭାଙ୍ଗିଯିବ, ବଙ୍କା ହୋଇଯିବ, ବା ତା' ଛତି ଭାଙ୍ଗିଯିବ | କୁମ୍ଭୀର ବା କଚ୍ଛପ ପିଠି ଧାରୁଆ ତରବାରୀ ର ଆଘାତ ଦ୍ୱାରା କିଛି ହେବ ନାହିଁ | ବିଶ୍ୱାସ ଓ ଭକ୍ତି ଦ୍ୱାରା ନିଜକୁ କୋମଳ କରିନିଅ | କଅଁଳା ବାଛୁରୀ ଚାଲିବା ପୂର୍ବରୁ ବହୁ କଚଡ଼ା ଖାଏ | ବହୁ ଅସୁବିଧା ଆସେ ସାଧନା କାଳରେ  ମୋଟେ ଭାଙ୍ଗି ପଡନା | ବ୍ୟସ୍ତ ନହୋଇ ଆଗେଇ ଚାଲ |      


-ଛଅ-
1 |  ତିନିପୁରର ସମସ୍ତ ତୁମକୁ ଅର୍ପଣ କରାଗଲେ ମଧ୍ୟ ସେଥିପାଇଁ ହର୍ଷିତ ହୁଅନାହିଁ, କିମ୍ବା ସମସ୍ତ ଦରିଦ୍ରତା ତୁମ ଉପରେ ଲଦି ହୋଇଗଲେ ବିଷର୍ଣ୍ଣ ହୁଅନାହିଁ |  ସବୁ ତୁମ ଇଷ୍ଟଙ୍କର ଭାବି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲ |
2 |  ଯେଉଁ ଉପାସନା, ମୁଁ ବା ଅହମିକା ନାହିଁ ତାହାହିଁ ପ୍ରକୃତ ତପସ୍ୟା ବା ଉପାସନା |
3 |  ଇଷ୍ଟଙ୍କୁ ସର୍ବଦା ଅନ୍ତରରେ ରଖି ତୁମ କର୍ତ୍ତବ୍ୟରେ ମୋଟେ ହେଳା କର ନାହିଁ |
4 |    ତୁମର ସମସ୍ତ କର୍ମ ଈଶ୍ୱରଙ୍କୁ ଯେତେବେଳେ ଅର୍ପଣ କରି ପାରିବ  ସେତେବେଳେ ଯାଇ ଜାଣିବ ତୁମର ଦାୟିତ୍ୱବୋଧ ଆସିଗଲା |

5 |   ଭଗବାନ ଭିତରେ ରହି ତୁମର ପ୍ରତ୍ୟେକ କର୍ମ ତୁମରି ଦ୍ୱାରା କରାଉଛନ୍ତି ବୋଲି ସର୍ବଦା ଅନୁଭବ କର |  

6 |   ସୃଷ୍ଟ ବସ୍ତୁରୁ ମନ ଫେରାଇ ସ୍ରଷ୍ଟାଙ୍କ ଠାରେ ଅର୍ପଣ କରିବାହିଁ ବୈରାଗ୍ୟ  |

7 |   ଫୁଲର ସ୍ଵଭାଵ ହେଲା-ଅନ୍ୟକୁ ଆନନ୍ଦ ଦେବା | ନିଜର କିଛିନାହିଁ, ନୀରବରେ ସେ ଫୁଟେ, ଆଉ ନୀରବରେ ସେ ଝଡିପଡ଼େ | ଦେବତାଙ୍କୁ ଦେଲେ ଆପତ୍ତି ନାହିଁ, ଆଉ ବିଳାସୀ ମାନଙ୍କୁ ଦେଲେ, ଅସନ୍ତୋଷ ନାହିଁ  | ସେବା ହିଁ ତାର ଧର୍ମ | ନିଜକୁ ତା' ରି ଭାବରେ ଅନୁପ୍ରାଣିତ କର  |


8  |  ବାକ୍ ସଞ୍ଜମ ନହେଲେ, ଚିତ୍ତ ସଞ୍ଜମ  ହେବା କଠିନ |  ବାକ୍ ସଞ୍ଜମ ହିଁ ଚିତ୍ତ ସଞ୍ଜମର ପୂର୍ବାବସ୍ଥା |
9  |  ତାମସିକ ଓ ରାଜସିକ ବୃତ୍ତି ଗୁଡିକ ଅନ୍ତରରୁ ବହିଷ୍କାର କରିଦେଲେ ପ୍ରକୃତ ମନୁଷ୍ୟ ଜୀବନ ଲାଭ ହୁଏ  |
10  |  ନିଜର ସମସ୍ତ ଦୋଷ, ଦୁର୍ବଳତା ଗୋପନ ନକରି, ନିଜର ଇଷ୍ଟ ବା ସଦ୍ଗୁରୁଙ୍କ ନିକଟରେ ପ୍ରକାଶ କରି, ଏ ଗୁଡିକର ନିରାକରଣ ପାଇଁ ତାଙ୍କ ଠାରେ ପ୍ରାର୍ଥନା କର | ତାଙ୍କ ଅପାର କରୁଣାରୁ ଏସବୁ ବିଧ୍ବଂସ ହୋଇଯିବ |
11  |  ସାଧନର ପ୍ରଥମାବସ୍ଥାରେ ଅନେକ ସମୟରେ ଅବସାଦ ଆସେ  | ନିରାଶ ହୁଅନାହିଁ | ଉତ୍ସାହ, ଧୈର୍ଯ୍ୟ ଓ ଦୃଢ ବିଶ୍ୱାସ ଦ୍ୱାରା ଏହା ଅପସରି ଯିବ |

12  |  କଦାପି ମାଟି ବା ଭୂଇଁ ଉପରେ ବସି ଉପାସନା ବା ସାଧନା କରନାହିଁ | କାରଣ ସେ ସମୟରେ ଶରୀରରେ ଉତ୍ପାଦିତ ବିଦ୍ୟୁତ ଶକ୍ତି ମାଟି ସହ ମିଶିଯିବ କୁଶାସନ ବା କମ୍ବଳାସନର ବ୍ୟବସ୍ଥା କରିନିଅ |

13  |  ଯେ କୌଣସି କର୍ମ କଲା ସମୟରେ, ନିଜର ଭାବ ଓ ଲକ୍ଷ୍ୟ ଠିକ ରଖିଲେ ନିଶ୍ଚିତ ଭାବରେ କୃତକାର୍ଯ୍ୟ ହେବ |

14  |  ଯୋଗୀ --ଭୋଗୀ ହୋଇପାରେ| ଭଲ ମଣିଷ ଖରାପ ହୋଇପାରେ | କିନ୍ତୁ ଭୋଗୀ ବା ମନ୍ଦ ବ୍ୟକ୍ତି --ଭଗଵତ୍ କୃପା ବା ଗୁରୁକୃପା ବ୍ୟତୀତ ଯୋଗୀ ବା ପବିତ୍ର ପୁରୁଷ ହୋଇପାରେ ନାହିଁ |


15 |  ବିବାହ--କେବଳ ଭୋଗ ବିଳାସ ପାଇଁ ନୁହେଁ | ଏହା ସାଂସାରିକ ଅନିବାର୍ଯ୍ୟ କ୍ରିୟା ମାତ୍ର |
16 |  ସତ୍ୟ ଓ ସରଳତା ଧାର୍ମିକର ଭୂଷଣ | ପ୍ରାଣାନ୍ତରେ ମଧ୍ୟ ଏହା ପରିତ୍ୟାଗ କରନାହିଁ |
17 |  ମାନବ ଜନ୍ମ ଲାଭ କରି ସଂସାରକୁ ଆସିଛ | ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଅନାସକ୍ତ ଭାବରେ କର୍ମ କରିଯାଅ |
18 |  ନିଷ୍କାମ ବ୍ୟକ୍ତିର ପତନ ନାହିଁ, ସକାମ ବ୍ୟକ୍ତି ସର୍ବଦା ପତନ ର ସମ୍ମୁଖୀନ ହୁଏ  |
19 |  ଯାହା ଭିତରେ "ତୁ"  "ମୁଁ "  ବା  ଆପଣା ---ପର ନାହିଁ ତାକୁ ତୁମର ସାଥି କରିନିଅ |
20 |  ଭଗବାନ କଦାପି ତୁମର ପର ନୁହନ୍ତି, ତୁମଠୁଁ  ଦୂରରେ ନାହାଁନ୍ତି , ଆଉ ତୁମ ପକ୍ଷରେ ଦୁର୍ଲଭ ମଧ୍ୟ ନୁହଁନ୍ତି |
21 |  ସାଧୁ ସଙ୍ଗ ବା ସତ୍ ସଙ୍ଗ ଧର୍ମର ପ୍ରଧାନ ଅଙ୍ଗ  |
22 |  ସବୁ ଧର୍ମର ସାରତତ୍ତ୍ୱକୁ ଆଦର ସହ ଗ୍ରହଣ କର, କିନ୍ତୁ ନିଜ ଧର୍ମ ନିଷ୍ଠା ସହକାରେ ପାଳନକର  |
||ଓଁ ଶାନ୍ତି ||


-ସାତ -
ଭୁଲିଯାଅନା --ଆର୍ଯ୍ୟ ଋଷି ମାନେ ତୁମ ପୂର୍ବ ପୁରୁଷ ଆଉ ତୁମେ ତାଙ୍କର ବଂଶଧର | ଆମର ଧର୍ମ, ସମାଜ, ସଂସ୍କୃତି, ସେହି ଆର୍ଯ୍ୟ ଋଷି  ମାନେ ହିଁ କରିଛନ୍ତି | ତ୍ୟାଗ, ସଞ୍ଜମ , ସତ୍ୟ , ବ୍ରହ୍ମଚର୍ଯ୍ୟ ହେଉଛି ଆମର ଆଦର୍ଶ | ଏହା ଆମ ଜାତୀୟ ଜୀବନର ମୂଳମନ୍ତ୍ର | ପ୍ରାଣ ବିନିମୟରେ ଏହା ଅବଲମ୍ବନ କରିବା ଆମର ଏକାନ୍ତ କର୍ତ୍ତବ୍ୟ |

ମନକୁ ସର୍ବଦା ଗୁରୁମୁଖୀ କରି ରଖିବା ହେଉଛି ଶିଷ୍ୟର ପ୍ରଧାନ ତପସ୍ୟା ଓ ସାଧନା | ସବୁ କାମ ଭିତରେ ପ୍ରତି ପଦକ୍ଷେପରେ ବହିର୍ମୁଖୀ ମନକୁ ଗୁରୁମୁଖୀ କରି ରଖି ପାରିଲେ ବାହାରର କୌଣସି ମନ୍ଦ ବାତାବରଣ ଶିଷ୍ୟକୁ କୌଣସି ପ୍ରକାରେ ସ୍ପର୍ଶ କରିପାରେ ନାହିଁ | କେବଳ ଏତିକି ମାନେ ରଖିଲେ ଶିଷ୍ୟ କୌଣସି ବିପଦଗ୍ରସ୍ତ ହୁଏ ନାହିଁ |      


ସାଧନାରେ ଯେଉଁ ବାଧାସବୁ ଉପୁଜେ, ତାହା ବାହାରର ନୁହେଁ , ଭିତରର | ପରିବେଶ ତୁମେହିଁ ସୃଷ୍ଟି କର | ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ସର୍ବଦା ସନ୍ତୁଷ୍ଟ ରହ | ଅଭିଯୋଗ କର ନାହିଁ | କଷ୍ଟ ସହ୍ୟକର  ତା ହେଲେ ପ୍ରକୃତି ତୁମର ବଶୀଭୂତ ହେବ | ବ୍ରହ୍ମ ବା ଈଶ୍ୱର ଚିନ୍ତନରେ ସର୍ବଦା ବୁଡି ରହ | ବ୍ରହ୍ମଜ୍ଞାନୀ ଓ ଈଶ୍ୱର ପରାୟଣଙ୍କ ପାଖରେ ମାୟା ସର୍ବଦା ଵଶ୍ୟତା ସ୍ୱୀକାର କରେ |  


ତନ୍ଦ୍ରା ପ୍ରବୃତ୍ତି, ବିକ୍ଷିପ୍ତ ଚିନ୍ତା, ଅଯଥା ବାକ୍ୟବ୍ୟୟ, ଅଳୀକ ଭାବନା, ପରଚର୍ଚ୍ଚା ଗୁଡିକ ହେଲେ ଇଷ୍ଟ --ବ୍ରହ୍ମ ଈଶ୍ୱର ଚିନ୍ତନ ଓ ତାଙ୍କ ଠାରେ ମନୋନିବେଶ ବା ସାଧନାରେ ପ୍ରଧାନ ବାଧା ସମୂହ | ଇଷ୍ଟ ଚିନ୍ତନ ପୂର୍ବରୁ --କାମ ପ୍ରବୃତ୍ତି, କ୍ରୋଧ , ଦୁଶ୍ଚିନ୍ତା , ମୋହ , ଅହଙ୍କାର , କପଟତା, ଈର୍ଷ୍ୟା ଆଦି ପରିତ୍ୟାଗ କର | ଏମାନଙ୍କୁ ଦୂର ନକରି ପୂଜା, ଆରାଧନା ବା ସାଧନାରତ ହେଲେ ତାହା ଅରଣ୍ୟ ରୋଦନରେ ପରିଣତ ହୋଇଥାଏ | କାମ କ୍ରୋଧାଦି ପ୍ରବୃତ୍ତିର ବଶବର୍ତ୍ତୀ ହେଲେ ସାଧନା ଦିଗରେ ଅଗ୍ରସର ହେବାକୁ ମନ ସର୍ବଦା ଅବାଧ୍ୟ ହୁଏ | ଏ ଅବାଗିଆ ମନକୁ ବାଟକୁ ଆଣିବା ପାଇଁ କଠୋର ହୁଅ | ଖରାପ ଚିନ୍ତନର ଗତିପଥ ଭଲ ଚିନ୍ତନକୁ ବଦଳାଅ |  ଅଳୀକ ଚିନ୍ତାରୁ ନିବୃତ୍ତ ହୁଅ | 

କେବଳ କଠୋର ବୈରାଗ୍ୟ ହିଁ ଏ' କୁ--ପ୍ରବୃତ୍ତି ମାନଙ୍କୁ ବଶୀଭୂତ କରିବାର ପ୍ରଧାନ ଅସ୍ତ୍ର | ନିଦ୍ରାର ବଶୀଭୂତ ହୁଅନାହିଁ | ଅଯଥା ଅଳୀକ ଚିନ୍ତାରେ ମୋଟେ ସମୟ ନଷ୍ଟ କର ନାହିଁ | କାହାରି ଅନିଷ୍ଟ ଚିନ୍ତା କରନାହିଁ | "ଅହଂ ବ୍ରହ୍ମସ୍ମି " ବା  "ମୁଁ ଶରୀରର ନୁହେଁ | ମୁଁ ବ୍ରହ୍ମ "|  ଏହି ଚିନ୍ତା କରିବାକୁ ଚେଷ୍ଟାକର | ଏହି ଭାବନା ଆସିଯିବା ମାତ୍ରେ ସମସ୍ତ "ବିଷୟା "--ଦର୍ଶନ, ଶ୍ରବଣ, ସ୍ପର୍ଶ, ଆସ୍ଵାଦନ, ଛାଆଁ କୁ ବନ୍ଦ ହୋଇଯିବ |    ପୂର୍ବ ସଂସ୍କାର ଅନୁଯାୟୀ "ମନ " ଅଳୀକ ଓ ବୃଥା ଚିନ୍ତାର ଛାପ ପକାଇବା ପାଇଁ ଉଦ୍ୟମ କରିପାରେ | କିନ୍ତୁ ତୁମେ କଠୋର ହୋଇଗଲେ ତୁମର ସୁ --ଭାବନା ଓ ସୁ --ବିଚାର ଦ୍ୱାରା ତାହା କ୍ରମଶଃ ବନ୍ଦ ହୋଇଯିବ | ଦୁର୍ଭାବନା ଆଳସ୍ୟ ଓ କାମନାରୁ ଭୟର ସୃଷ୍ଟି ହୁଏ | ଆଳସ୍ୟ, କାମନା, ଅସ୍ଥିରତା, ହତାଶା ଏହି ଚାରୋଟି "ସାଧନା" ର ପ୍ରତିବନ୍ଧକ | ଅତି ସାବଧାନତା ସହ ମନକୁ ଲକ୍ଷ୍ୟ କର | ଏହାକୁ ଏକାନ୍ତ ଓ ଗୁରୁମୁଖୀ ହେବାପାଇଁ ପ୍ରସ୍ତୁତ କର | ନିୟମିତ ପ୍ରାଣାୟାମ କର | ଲଘୁପାକ ଖାଦ୍ୟ  ଭୋଜନ କର | ସ୍ୱଳ୍ପାହାର ସାତ୍ତ୍ଵିକ ଭୋଜନ, ଶୀର୍ଷାସନ ଦ୍ୱାରା ଏକାଗ୍ରତା ବୃଦ୍ଧି ପାଏ | ଯେଉଁ ଲୋକ ସହ ମିଶିବାକୁ ଇଛାହେଉନାହିଁ ତାଙ୍କ ସଙ୍ଗ ପରିତ୍ୟାଗ କର |ବିତଣ୍ଡା ଯୁକ୍ତି କରନାହିଁ | ଅଜ୍ଞ ବା ଯେତେ ବୁଝାଇଲେ ବି ବୁଝିବାପାଇଁ ଯେଉଁମାନେ ଚେଷ୍ଟିତ ନୁହନ୍ତି ସେମାନଙ୍କ ସହିତ ତୁମର ବହୁମୂଲ୍ୟ ସମୟ ନଷ୍ଟ ନକରି ନିଜ ସାଧନା କ୍ଷେତ୍ରରେ ଅଗ୍ରସର ହୁଅ | ନିହାତି ଆବଶ୍ୟକ ସ୍ଥଳରେ ଯଥୋଚିତ କମ୍ କଥାକୁହ | ବେଶୀ ସମୟ ମୌନ ରକ୍ଷାକର | ସଙ୍ଗ ମେଳପାଇଁ ଆଗ୍ରହୀ ନ ହୋଇ ସର୍ବଦା ଯଥା ସମ୍ଭବ ଏକୁଟିଆ ରହିବାକୁ ଚେଷ୍ଟାକର | ଗୀତା , ଭାଗବତ , ଚଣ୍ଡୀ , ରାମାୟଣ , ଯୋଗବାଶିଷ୍ଠ -ରାମାୟଣ, ବେଦ,ବିଷ୍ନୁସହସ୍ରନାମ ନିୟମିତ ପାଠକର | 'ଓଁ ',
'ଓଁ ମା', 'ମହାମନ୍ତ୍ର', ବା ନିଜର ଇଷ୍ଟମନ୍ତ୍ର ଅର୍ଥ ଓ ଭାବ ସହ ଜପ | ସମସ୍ତ ଅଳୀକ ଚିନ୍ତା ଓ କୁପ୍ରବୃତ୍ତି-ମାନ ଅହରହ ନାମ, ଜପ ପ୍ରଭାବରେ ମିଳାଇଯିବ | ଅଜ୍ଞାନତା ନାଶହୋଇ ସଦ୍ ଜ୍ଞାନ ଉଦୟ ହେବ |       


ସୁଗନ୍ଧ ବାସନା, ନରମ ଶଯ୍ୟା , ହାଲୁକା ପୁସ୍ତକ, ଅଯଥା ଗଳ୍ପ, ଉପନ୍ୟାସ ପାଠ, ଅଶ୍ଳୀଳ ଛବି , ନାଟକ, ନୃତ୍ୟ , ସିନେମା , ଦର୍ଶନ, ଅଶ୍ଳୀଳ ସଂଗୀତ ଶ୍ରବଣ, ନାରୀସଙ୍ଗ, ତାମସିକ ଖାଦ୍ୟ ଗୁଡିକ କୁ--ପ୍ରବୃତ୍ତିକୁ ଉତ୍ତେଜିତ କରାଇ ମନରେ ଅସ୍ଥିରତା ସୃଷ୍ଟି କରନ୍ତି | ଅତ୍ୟଧିକ ଲୁଣ, ଲଙ୍କା, ମିଠା ସାଧନ ପଥ ର ପ୍ରତିବନ୍ଧକ ଅଟନ୍ତି | ଅତିରିକ୍ତ ବାକ୍ୟାଳାପ , ଅତିରିକ୍ତ ଭ୍ରମଣ , ନିଦ୍ରା ହୀନତା, କାମ ପ୍ରବୃତ୍ତି, ଆଦି ଦୁଷ୍କର୍ମମାନ ସାଧନା ଦିଗରେ କ୍ଷତିକାରକ |   


ଶବ୍ଦ ମନକୁ ସକ୍ରିୟ କରେ | ଶବ୍ଦ ହିଁ ମନକୁ  ଭାବନା ଦିଗରେ ଆଗେଇ ନିଏ | ମୂଲ୍ୟବାନ ବା ଅର୍ଥଯୁକ୍ତ ଶବ୍ଦ ଅପେକ୍ଷା ମୂଲ୍ୟହୀନ ବା ଅର୍ଥହୀନ ଶବ୍ଦ ମନକୁ ବେଶୀ ବିବ୍ରତ କରେ | ନଦୀର କୁଳୁକୁଳୁ ଶବ୍ଦ, ପବନର ଧାରାବାହିକ ଶବ୍ଦ, ଝିଙ୍କାରୀର ଅନବରତ ସ୍ୱର ସହିତ ମନୁଷ୍ୟ ସର୍ବଦା ପରିଚିତ | ଏଣୁ ଏ ଶବ୍ଦଗୁଡିକ ମନରେ ବିଶେଷ ପ୍ରତିକ୍ରିୟା ସୃଷ୍ଟି କରେନାହିଁ |


ସଦାଚାର, ସାତ୍ତ୍ଵିକ ଖାଦ୍ୟ , ସତ୍ ଭାଷଣ, ସୁଚିନ୍ତନ, ମଧୁର ବ୍ୟବହାର, ପରୋପକାର, ଅହିଂସା,ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ ଓ ମିତଵ୍ୟୟିତା ଆଦି ସଦ୍ଗୁଣ ଗୁଡିକ ଆଧ୍ୟାତ୍ମିକତା ପ୍ରାପ୍ତି ଦିଗରେ ପ୍ରଧାନ ସହାୟକ ଅଟନ୍ତି |

ପରମାତ୍ମା ସର୍ବତ୍ର ବିଦ୍ୟମାନ | ସମସ୍ତଙ୍କ ସହ ଓତଃପ୍ରୋତ ଭାବେ ଜଡିତ | ପରମ ଦୟାଵାନ ସେ | ଆମେ ଯେତେ ଯାହା ଖରାପ ବା ଭଲ ହେଲେ ମଧ୍ୟ ସେ ଆମର ମଙ୍ଗଳ କରନ୍ତି | ମଙ୍ଗଳମୟ ସେ | ତାଙ୍କଠାରେ ଦୃଢ ବିଶ୍ୱାସ ରଖ | ତୁମେ ତାଙ୍କର ଅତିପ୍ରିୟ , ଅତି ଆପଣାର ଆଉ ତାଙ୍କର ଅଂଶ ବା ସ୍ୱରୂପ | ଟିକିଏ ଇଛା କଲେ, ଟିକିଏ ଚେଷ୍ଟା କଲେ ଏହା ନିଜେ ତୁମେ ପ୍ରତ୍ୟକ୍ଷରେ ଜାଣିପାରିବ | ସେ ସ୍ଵଂୟ ତୁମ ସହ ମିଳିତ ହେବେ | ତୁମେ ତାଙ୍କୁ ଦେଖିପାରିବ ଜାଣିପାରିବ | ତାଙ୍କ ସହ ମିଶିପାରିବ |  


ନିଜକୁ --ଅସତ୍, ଦୁର୍ବଳ, ପାପାଚାରୀ, ଦୀନ, ହୀନ, ଭାବନାହିଁ | ନିରାଶା, ଅସଫଳତା, ଦୁଃଖ, ଶୋକ, ବିଷାଦ, ଅଶାନ୍ତି,  ଅବନତି, ଦୁର୍ଗତି, ବନ୍ଧନ, କଳହ, ଦ୍ଵନ୍ଦ, ଭୟ, ରୋଗ, ଆଦି ବିଷୟ ଚିନ୍ତାକଲେ, କଳ୍ପନାରେ ଏସବୁର ଭୟାନକ ଚିତ୍ର ଦେଖିଲେ ବାହାରେ ମଧ୍ୟ ଏହିପରି ପରିସ୍ଥିତି ସୃଷ୍ଟି ହୋଇଯାଏ | ମନରେ ସଂକଳ୍ପ ଯେପରି ହେବ ପରିଣାମ ମଧ୍ୟ ସେହିପରି ହେବ |  

ଶୁଦ୍ଧ ପରିଣାମ ପାଇଁ ସର୍ବଦା ଶୁଦ୍ଧ ସଂକଳ୍ପ କର | ଉତ୍ସାହ, ସଫଳତା, ସିଦ୍ଧି, ସୁଖ, ଆଲ୍ହାଦ, ଶାନ୍ତି, ଉନ୍ନତି, ପ୍ରେମ, ସେବା, ନିର୍ଭୟତା, ମୁକ୍ତି, ସୁସ୍ଥତା ଏହିସବୁ ସୁଶୋଭନ ସଂକଳ୍ପ କଲେ ତୁମ ହୃଦୟ କ୍ଷେତ୍ର ପବିତ୍ର ଓ ନିର୍ମଳରେ ପରିପୂର୍ଣ୍ଣ ହୋଇଯିବ | ବାହାରେ ବାତାବରଣ ଓ ପରିସ୍ଥିତି ମଧ୍ୟ ଠିକ ଏହିଭଳି ହୋଇଯିବ | ଶୁଭ ସଂକଳ୍ପ କରୁଥିବା ବ୍ୟକ୍ତି ନିଜେ ପରମ ସୁଖ ପାଇବା ସଙ୍ଗେ ସଙ୍ଗେ ଅନ୍ୟକୁ ମଧ୍ୟ ସୁଖ ପ୍ରଦାନ କରିଥାଏ  |   


ଈଶ୍ୱର ବିଶ୍ୱାସ ହିଁ ପରମ ସୁଖର ଆଧାର | ଏହି ଇଷ୍ଟ  ବିଶ୍ୱାସରୁ ସକଳ ଶୁଭ ବିଚାର, ଶୁଭ ସଂକଳ୍ପ, ଶୁଭ ଗୁଣର ଉତ୍ପତ୍ତି ହୋଇଥାଏ |

ନିଶ୍ଚିତ ହୁଅ, ତୁମେ ଧାର୍ମିକ, ତୁମେ--ଜ୍ଞାନୀ, ତୁମେ--ମହାନ୍ | ପରମାତ୍ମାଙ୍କ ଶକ୍ତି ତୁମ ଅନ୍ତରରେ ପରିପୂର୍ଣ୍ଣ ଭାବରେ ରହିଛି , ଇଛା କଲେ ତୁମେ ସବୁ କରିପାରିବ | ପ୍ରହଲ୍ଲାଦ ପଥର ଖୁମ୍ବରୁ ଭଗବାନଙ୍କୁ ପ୍ରକଟ କରାଇଥିଲେ | ଲହୁଣୀ ଦେଖାଇ ଗୋପାଙ୍ଗନା ଜଗତ୍ ପତି ଶ୍ରୀକୃଷ୍ଣ ଙ୍କୁ ଅଗଣାରେ ନଚାଉ ଥିଲେ | ଭକ୍ତ ସାଲବେଗ ନିଜର ଭକ୍ତିରେ ନନ୍ଦିଘୋଷ ରଥକୁ ଅଟକାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ | କବିସୂର୍ଯ୍ୟ ବଳଦେବ ରଥଙ୍କ ବାଲ୍ୟାବସ୍ଥାରେ, ବ୍ରହ୍ମସ୍ୱରୂପା " ଓଁ ମା " ନିଜେ ପ୍ରକଟିତ ହୋଇ ତାଙ୍କ ହାତରୁ କ୍ଷୀର ପଥୁରି  ନେଇ କ୍ଷୀର ତକ ପିଇ ସାରିବା ପରେ ତାଙ୍କୁ ନିଜର ସ୍ତନ୍ୟ, ପାନକରାଇଥିଲେ | ଠାକୁର ରାମକୃଷ୍ଣ ପରମହଂସ ପରମେଶ୍ୱରୀ 'ଓଁ ମା' ଙ୍କୁ ଭକ୍ତି ବଳରେ ପ୍ରକଟ କରାଇ ନିଜ ହାତରେ ତାଙ୍କୁ ଖୁଆଇ ଦେଉଥିଲେ | ଏହିପରି ବହୁ ଭକ୍ତ ପରମାତ୍ମା ସେମାନଙ୍କ ଇଷ୍ଟଙ୍କୁ ଭକ୍ତିରେ ସେବାକରି ନିଜର ଇଛାନୁଯାୟୀ କାମରେ ଲଗାଉ ଥିଲେ | ଏସବୁ ତ ବେଶି ଦିନର ନୁହେଁ |  ଏହି ଯୁଗର | ଏଇ କେତେ ବର୍ଷ ଆଗର | ଏବେବି ଏଇଭଳି ବହୁ ଭକ୍ତ ଅଛନ୍ତି |               


ତୁମେ ଏହି ସବୁ ଭକ୍ତମାନଙ୍କଠାରୁ କୌଣସି ଗୁଣରେ ଉଣା ନୁହେଁ | ସେମାନଙ୍କ ଭଳି ତୁମେ ମଧ୍ୟ ପରମାତ୍ମାଙ୍କର ଅତି ପ୍ରିୟ, ଅତି ଆପଣାର | ବିଶ୍ୱାସହିଁ ଭଗବାନ | କେବଳ ଏହି ବିଶ୍ୱାସ ଟିକେ ତୁମର ଉଣା ହୋଇ ଯାଇଛି | ଏଇଥିପାଇଁ ଅନୁଭବ କରିପାରୁନାହଁ | ଦୃଢ଼ତା ପୁଣି ଫେରାଇ ଆଣ | ଭଗବାନଙ୍କର ଏହିପରି ପ୍ରତ୍ୟକ୍ଷ ପ୍ରେମ ଶୀଘ୍ର ଲାଭ କରି କୃତାର୍ଥ ଆଉ ସୁଖୀ ହୁଅ | ସଫଳତା ନିଶ୍ଚୟ ମିଳିବ | ଦୃଢ଼ ବିଶ୍ୱାସ ଓ ଆତ୍ମବିଶ୍ଵାସ ଆସିଗଲେ ଏହି ଦୃଢ଼ତା ଓ ଚେଷ୍ଟା ବିଜୟର ମୂଳ ମନ୍ତ୍ର ହୋଇ ପରମାତ୍ମାଙ୍କୁ ତୁମ ପାଖକୁ ଓଟାରି ଆଣିବା ପାଇଁ ଶକ୍ତିଶାଳୀ ଚୁମ୍ବକ ଭଳି କାର୍ଯ୍ୟ କରିବ |  


ଦୃଢ଼ ଭାବରେ ମନେରଖ, ଜଗତର ଏମିତି କିଛି ବସ୍ତୁ, ଏମିତି କିଛି ସ୍ଥାନ, ଏମିତି କିଛି ବିଦ୍ୟା, କୌଣସି ସ୍ଥିତି ତୁମ ପକ୍ଷରେ ଅସମ୍ଭବ ନୁହେଁ | ତୁମେ ସବୁ ପାଇ ପାରିବ | ଆତ୍ମ ଶକ୍ତି ଉପରେ ଦୃଢ଼ ବିଶ୍ୱାସ ରଖ | ସ୍ଥିର ଓ ଅଟଳ ବିଶ୍ୱାସ ଆସିଗଲେ ସମସ୍ତ ସଫଳତା ତୁମ ପାଦ ତଳେ ଲୋଟିବ | ଆତ୍ମ ଶକ୍ତି ପକ୍ଷରେ କିଛି ଅସମ୍ଭବ ନୁହେଁ |

ମନେରଖ, ତୁମେ ତୁମ ଇଷ୍ଟଙ୍କର ପରମ ପ୍ରିୟ | ସେ ସବୁବେଳେ ତୁମ ସାଥିରେ --ଆଉ ତୁମେ ସବୁବେଳେ ତାଙ୍କ କୋଳରେ | ତୁମ ପ୍ରତି ତାଙ୍କର କେତେ ଯେ କରୁଣା ତୁମେ କଳି ପାରିବ ନାହିଁ | ତୁମ ମସ୍ତକରେ  ତାଙ୍କର ଅଭୟ ହସ୍ତ ସବୁବେଳେ ସଞ୍ଚାଳିତ ହେଉଛି |


ବିଶ୍ୱାସ ତୁମର ସହଜାତ | ଏଇ କେତେଦିନ ହେଲା ନିଜର ଅସାବଧାନତାରୁ ତାହା ଟିକେ କମି ଯାଇଥିଲା | ଏବେ ଯେତେବେଳେ ତାହା ଫେରିଆସୁଛି ଆଉ ଛାଡ଼ ନାହିଁ | ଦୃଢ଼ ଭାବରେ ଜାବୁଡି ଧର | ବିଶ୍ୱାସ ଦୃଢ଼ କରି ଦିଅ | ନିର୍ଭୟ ଓ ନିଶ୍ଚିନ୍ତ ହୁଅ |

ଦୃଢ଼ ଭାବରେ ଜାଣି ରଖ ତୁମର ଏଭଳି ଗୋଟିଏ ସ୍ଥିତି ଆସୁଛି ଓ ଆସିବ --ଯେଉଁଠି ଅଜ୍ଞାନ, ମୋହ, ଶତୃତା, କାମ, କ୍ରୋଧ, ବିଷାଦ, ବିଷମତା , ତୋର--ମୋର ଭାବର କଳ୍ପନା ମଧ୍ୟ କରାଯାଇ ପାରେ ନାହିଁ |  ପୂର୍ଣ୍ଣ ଜ୍ଞାନ, ପୂର୍ଣ୍ଣ ପ୍ରେମ, ପୂର୍ଣ୍ଣ ଶାନ୍ତି, ପୂର୍ଣ୍ଣ ସମଭାବ, ପୂର୍ଣ୍ଣ ପ୍ରକାଶ, ପୂର୍ଣ୍ଣ ଆନନ୍ଦ, ସେଠାରେ ପରିପୂର୍ଣ୍ଣ ଭାବରେ ରହିଛି | ସେହି ସ୍ଥିତି ନିଶ୍ଚୟ ତୁମକୁ ମିଳିବ | 


ଭକ୍ତର ଇଛାଶକ୍ତି ପ୍ରବଳ ହୋଇଗଲେ ଭଗବାନ ଦର୍ଶନ ଦିଅନ୍ତି ଓ ବାକ୍ୟାଳାପ କରନ୍ତି | ଯେତେ ଶୀଘ୍ର ପାରୁଛ ଇଷ୍ଟ ଦର୍ଶନ ପାଇଁ ଉତ୍କଟ ଅଭିଳାଷର ଅଭିବୃଦ୍ଧି କର | ପାଣିରେ ବୁଡ଼ିଯାଉଥିବା ବ୍ୟକ୍ତି ଉପରକୁ ଆସିବାପାଇଁ ଯେପରି ବ୍ୟାକୁଳ ହେଉଥାଏ ଭଗବତ୍ ଦର୍ଶନ ପାଇଁ ସେହିଭଳି ବ୍ୟାକୁଳତା ଆସିବା ବିଚିତ୍ର ନୁହେଁ | ଭଗବତ୍ ଦର୍ଶନ ପାଇଁ  ବ୍ୟାକୁଳତା କୃତ୍ରିମ ନ ହୋଇ ପ୍ରକୃତ ହେବା  ଆବଶ୍ୟକ | ଏକମାତ୍ର ସୁଯୋଗ୍ୟ ସନ୍ତାନର ମରଣ ସମୟରେ ବହୁଦିନର ସଞ୍ଚିତ ଧନ, ସମ୍ମାନ, ପ୍ରତିପତ୍ତି ଚାଲିଯିବା ବେଳେ ଯେଉଁ ବ୍ୟାକୁଳତା ଆସେ, ସେହି ବ୍ୟାକୁଳତା ଯେଉଁ ପରମ ଭକ୍ତ ମନରେ ଉତ୍ପନ୍ନ ହୁଏ, ତାଙ୍କୁ ଦର୍ଶନ ନ ଦେଇ ଭଗବାନ କଦାପି ରହିପାରନ୍ତି ନାହିଁ | ଯେତେବେଳେ ଭକ୍ତ, ଭଗବାନଙ୍କୁ ସଂସାରର ସମସ୍ତ ପଦାର୍ଥଠାରୁ ଶ୍ରେଷ୍ଠ -ବୋଲି ଭାବେ, ସମସ୍ତ ସୁଖ, ସମ୍ଭୋଗକୁ ତୁଚ୍ଛ ମନେକରେ, କେବଳ ଏକମାତ୍ର ପରମପ୍ରିୟ ଭଗବାନଙ୍କୁ ନିଜର ଜୀବନ, ଧନ, ମାନ, ଧର୍ମ, ପ୍ରଭୃତି ସବୁ ସମର୍ପଣ କରିଦିଏ, ସେତେବେଳେ ଯାଇ ତାର ଏଭଳି ବ୍ୟାକୁଳତା ଆସିଯାଏ |  ପୁତ୍ର, ଧନ, ଦେହ, ନାମର ନାଶ ହୋଇଯିବା ସମୟରେ ମନରେ ଯେତିକି ବ୍ୟାକୁଳତା, ସେହି ବ୍ୟାକୁଳତା ଆସିଗଲେ ଭଗବତ୍ ଦର୍ଶନ ନିଶ୍ଚୟ ହେବ | କାଣିଚାଏ ବି ଏହି ବ୍ୟାକୁଳତା ନଆଣି "ଭଗବାନ କଅଣ ଅଛନ୍ତି "? "ଭଗବତ ଦର୍ଶନ କଅଣ ସମ୍ଭବ" ? ଏଭଳି ପ୍ରଶ୍ନବାଚୀ କେବଳ ମୂର୍ଖାମୀ | ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ ବିଦ୍ୟାର୍ଥୀ ବାରମ୍ବାର ତା'ର ଅକ୍ଲାନ୍ତ ଚେଷ୍ଟା ଦ୍ୱାରା କୃତକାର୍ଯ୍ୟ ହୁଏ  | ଯେ କୌଣସି କର୍ମରେ ଅସଫଳ ହେଲେ ମାନବ ବାରମ୍ବାର ଚେଷ୍ଟା କରି ସହଳ  ହେଉ ବା ବିଳମ୍ବରେ ହେଉ ନିଶ୍ଚୟ ସଫଳତା ଲାଭ କରେ | ନିଜର ଅକ୍ଲାନ୍ତ ଚେଷ୍ଟା ଦ୍ୱାରା ସହଳ ବା ବିଳମ୍ୱରେ ତା'ର ଲକ୍ଷ୍ୟପ୍ରାପ୍ତି ସୁନିଶ୍ଚିତ, ଏହା ନିଃସନ୍ଦେହ | ଭଗବତ୍ ଦର୍ଶନ ଓ ଭଗବତ୍ ପ୍ରାପ୍ତିର ଲାଳସା ହୃଦୟରେ ଜାଗ୍ରତ ହେଲା ମାତ୍ରେ ବିଷୟ ବାସନା ଭୋଗ ଓ ଐଶ୍ଵର୍ଯ୍ୟ ଲାଳସା କ୍ରମଶଃ ଭିତରୁ ବହିଷ୍କାର ହେବାକୁ ଲାଗେ |  ସବୁଆଡୁ ମନ ଓହରି ଆସି ସେହି ସଚ୍ଚିଦାନନ୍ଦ ଘନ ପରଂବ୍ରହ୍ମଙ୍କୁ ପାଇବା ପାଇଁ ଓ ତାଙ୍କରି ଦର୍ଶନ ପାଇଁ ମନ ଉନ୍ମୁଖ ହୋଇଯାଏ |
ଓଁ ଶାନ୍ତି


-ଆଠ -
1|  ବାକ୍ ସଂଯମ ବ୍ୟତୀତ ଚିତ୍ତ ସଂଯତ ହେବା କଠିନ | ବାକ୍ ସଂଯତ -ଚିତ୍ତ ସଂଯମର ପୂର୍ବାବସ୍ଥା |
2 |  ଯେଉଁ ସମୟରେ ମନୁଷ୍ୟ, ପଶୁତ୍ବରୁ ଉତୀର୍ଣ୍ଣ ହୁଏ, ଯୌବନ ହିଁ ସେହି ଭୟଙ୍କର ସନ୍ଧିକାଳ |  ଏହି ସମୟରେ ଦୃଢ଼ ଅଧ୍ୟବସାୟ ସହିତ ଆସକ୍ତି କଣ୍ଟକିତ ବାଧା ବିଘ୍ନକୁ ବୀର ଭଳି ପଦ ଦଳିତ କର | ସଦ୍ଗୁରୁ ଉପଦିଷ୍ଟ ପଥରେ ଅଗ୍ରସର ହୁଅ | ତା' ହେଲେ ସାରା ଜୀବନ କଣ୍ଟକ ଶୂନ୍ୟ ହୋଇଯିବ |
3  | ଉନ୍ନତି ପାଇଁ ସଂଯମର ବିଶେଷ ପ୍ରୟୋଜନ |  ଦେହ, ମନ, ଇନ୍ଦ୍ରିୟ , ଓ ବାକ୍ୟର ସଂଯମ କର | ଚାଲିଲା ବେଳେ ଗୋଟିଏ ପାଦ ଭୂମିରେ ରଖି ଚିନ୍ତିବା ପରେ ଅନ୍ୟ ପାଦଟି ଉଠାଅ | ଖିଆପିଆରେ ଅସଂଯତ ହେଲେ ସ୍ୱାସ୍ଥ୍ୟହାନି ଘଟେ | ଇନ୍ଦ୍ରିୟ ଆଦିର ସଂଯମ ନଥିଲେ ନା'ନା ପ୍ରକାର ବ୍ୟାଧି ହୁଏ |   ସବୁଥିରେ ସଂଯମୀ ହୁଅ |
4  | ସାମାଜିକ ବା ରାଜନୈତିକ କ୍ଷେତ୍ରରେ ତୁମେ ସ୍ୱାଧୀନ ହୋଇପାର | କିନ୍ତୁ ଯେତେବେଳେ ଯାଏ ତୁମେ କାମନା - ବାସନା ର ଦାସ ହୋଇ ରହିଛ ସେ ପର୍ଯ୍ୟନ୍ତ ଅନାବିଳ ଆନନ୍ଦ ଓ ଯଥାର୍ଥ ସ୍ୱାଧୀନତା ତୁମକୁ ମିଳିନାହିଁ ବୋଲି ଜାଣ |
5  |  କାହାରି ଦୋଷ ଦେଖ ନାହିଁ କିମ୍ବା କାହାରି ନିନ୍ଦା କରନାହିଁ | ଏହା ଦ୍ୱାରା ନିଜର ଶକ୍ତି କ୍ଷୟ ହୁଏ |  ନିଜେ ଭଲ ହେବାପାଇଁ ସର୍ବଦା ଯତ୍ନକର |
6  | ଆଳସ୍ୟ ପରିତ୍ୟାଗ କରି କର୍ମ କରିଯାଅ | କର୍ମ ପରାୟଣତା ହିଁ ଆତ୍ମୋନ୍ନତି ର ମୂଳ |  କର୍ମରେ ନିଜେ ବାନ୍ଧିହୋଇ ଯାଅ ନାହିଁ | ମନୁଷ୍ୟର ନିଷ୍କାମ ଓ ନିର୍ଲିପ୍ତ କର୍ତ୍ତବ୍ୟ ପରାୟଣତା ହିଁ  ତା'ର ସମସ୍ତ ଶାରୀରିକ ଓ ମାନସିକ ଦୁର୍ବଳତା ଦୂର କରିଦିଏ |  ଆତ୍ମ ଶକ୍ତି ଜାଗ୍ରତ ହୁଏ |

7  |   ପୁରାକାଳରେ ବିଦ୍ୟାର୍ଥୀ ମାନେ ଗୁରୁ ଗୃହରେ ରହି ବ୍ରହ୍ମଚର୍ଯ୍ୟ ଓ ଆଜ୍ଞାବହତା ଶିକ୍ଷା କରୁଥିଲେ |  ଏହା ଅତି ଉତ୍କୃଷ୍ଟ ପନ୍ଥା |  ଆମେ ଆଜି ମନକୁ କେବଳ ଆଦେଶ ଓ ଉପଦେଶ ଦେଉଥାଇ କିନ୍ତୁ ନିଜେ ତାହା ପାଳନ କରୁ ନାହାନ୍ତି |  ପ୍ରଥମେ ବ୍ରହ୍ମଚର୍ଯ୍ୟ ପାଳନ କର |  ଆଜ୍ଞାବହତା ଶିକ୍ଷା କର | ନିଜେ ଭୃତ୍ୟ ହୁଅ | ତା' ହେଲେ ଯାଇ ପ୍ରଭୁତ୍ୱ ଓ ନେତୃତ୍ୱ କରିବାକୁ ଯୋଗ୍ୟ ବିବେଚିତ ହେବ |


8  | ଅଭାବ ଆମର ଏକମାତ୍ର, ଅଶାନ୍ତି ଓ ନିରାନନ୍ଦର କାରଣ ବୋଲି ଆମେ ଭାବନ୍ତି |  ପ୍ରକୃତରେ ଜୀବର କିଛି ଅଭାବ ନାହିଁ | ଅଜ୍ଞାନତା ହିଁ ଅନନ୍ତ ପ୍ରକାର ଅଭାବର ସୃଷ୍ଟିକର୍ତ୍ତା |
9  |  ପ୍ରତିଟି ପରିବାର ଶିବଙ୍କ ପରିବାର କୈଳାସ | ସେଠାରେ ସର୍ବତ୍ର ଶିବ-ଶକ୍ତି ଙ୍କର ବିକାଶ |  ଗୃହସ୍ୱାମୀ-ଶିବ ଏବଂ ଗୃହୀଣୀ -ଶକ୍ତି |
10 |  ପ୍ରକୃତ ଶିଷ୍ୟ, ଗୁରୁଦେବଙ୍କର କୌଣସି ବାହ୍ୟ କଳାପ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ |  କେବଳ ତାଙ୍କରି ଆଦେଶ ପାଳନ କରିବାପାଇଁ ସେ ସର୍ବଦା ତତ୍ପର ଥାଆନ୍ତି |
11  |  ସାଧୁସଙ୍ଗ ହିଁ ଧର୍ମର ପ୍ରଧାନ ଅଙ୍ଗ |
12 |  କୌଣସି କାମ କରିବା ପୂର୍ବରୁ ଧେଣ୍ଡୁରା ପିଟ ନାହିଁ |  କାମ କରିସାରିଲେ ତ ସମସ୍ତେ ଦେଖିବେ |
13  |  ଅଳୀକ ଚିନ୍ତା କରି ବହୁମୂଲ୍ୟ ସମୟ ଅଯଥାରେ ନଷ୍ଟ କର ନାହିଁ  14   |  ସାଧାରଣତଃ, ଲୋକ ବିପଦ ପଡିଲେ ଭଗବାନଙ୍କୁ ଡାକେ ତାଙ୍କ ନାମ ସଦ୍ଗୁରୁଙ୍କ ନିର୍ଦେଶାନୁଯାୟୀ ଜପକରେ, ବା ଧର୍ମିୟ ଅନୁଷ୍ଠାନ କରେ |  ବିପଦରୁ ଉଦ୍ଧାର ପାଇଗଲେ, ଆଉ ଠାକୁରଙ୍କ କଥା ମନେ ରହେନାହିଁ |  "ଯାହାଙ୍କ ନାମ ଧରି, ଯାହାଙ୍କୁ ଡାକି ମୁଁ ବିପଦରୁ ରକ୍ଷା ପାଇଲି, ତାଙ୍କୁ ସ୍ମରଣରେ ରଖିଲେ ଆଉ କୌଣସି ବିପଦ ମୋତେ ସ୍ପର୍ଶ କରିପାରେନା" ଏକଥା ଅବୋଧ ଲୋକ ଭୁଲିଯାଏ | ଏଣୁ ସର୍ବଦା ତାଙ୍କ ସହ ଘନିଷ୍ଠ ସମ୍ପର୍କ ରଖ |
15   |  ସୃଷ୍ଟି ବିଷୟ ସବୁରୁ ମନକୁ ଓଟାରି ସ୍ରଷ୍ଟାଙ୍କଠାରେ ଲକ୍ଷ୍ୟ ରଖ |
             || ଓଁ  ଶାନ୍ତି   ||


-ନଅ -
ଅମାନିଆ ମନକୁ ବରାବର ଲକ୍ଷକର |  କାମ,କ୍ରୋଧ,ଲୋଭ, ଅଭିମାନ, ମୋହ,  ପ୍ରଭୃତି ରିପୁଗଣ ଏହି ମାୟାପୁରୀ ରୂପକ ମନ ଭିତରେ ଲୁଚିକରି ରହିଛନ୍ତି |  ସାଧାରଣ ଦୃଷ୍ଟିରେ ଦେଖିଲେ, ଏ ମାୟା ମହଲରେ ଏମାନଙ୍କର ପତ୍ତା ମିଳେନାହିଁ | କେବେ ଜାଣିହେବ ନାହିଁ ଏମାନେ ଅଛନ୍ତି କି ନାହାନ୍ତି | ସୁବିଧା ପାଇଲାମାତ୍ରେ ଏମାନେ ସଙ୍ଗେ ସଙ୍ଗେ ପ୍ରକଟିତ ହୋଇ ଯାଆନ୍ତି | ଆଉ ସାରା ଜୀବନରେ ବହୁ କଷ୍ଟରେ ଉପାର୍ଜନ କରି ସଞ୍ଚୟ କରି ସଦ୍ଗୁଣ ଓ ସଦ୍ ଭାବନା ଋପକ ବହୁମୂଲ୍ୟ ଧନକୁ ଏପରି ନିର୍ଦ୍ଦୟ  ଭାବରେ ଲୁଣ୍ଠନ କରି ନିଅନ୍ତି, ଯାହା ପୁଣି ପୂରଣ କରିବା ଅତି କଷ୍ଟକର |

କେବେ ହେଲେ ନିଜକୁ ନିର୍ଭୟ ନିଶ୍ଚିନ୍ତ ଓ ଅସାଵଧାନ ମଣନାହିଁ | ଯେ ପର୍ଯ୍ୟନ୍ତ ଏହି ଡ଼ାକୁମାନଙ୍କର ବୀଜ ତୁମ ମନରେ ନଷ୍ଟ ନ ହୋଇଛି, ସେ ପର୍ଯ୍ୟନ୍ତ ଏମାନଙ୍କର ମୂଳ ତାଡି ଉଠାଇ ଦେବା ପାଇଁ ଚେଷ୍ଟାକର | ମିଠା କଥା କହି ଏମାନେ ତୁମର ମିତ୍ର ଆଜ୍ଞାକାରୀ ଓ ସେବାକାରୀ ଭାବରେ ରହିବାପାଇଁ ଚେଷ୍ଟା କରିବେ !  କିନ୍ତୁ କେବେବି ସେମାନଙ୍କ ଭୁଲାଣିଆ କଥାରେ ଭୁଲନାହିଁ | ଟିକିଏ ଖାଲି ଉଙ୍କିମାଇଲା କ୍ଷଣି ସେମାନଙ୍କୁ ଠେଲି ବାହାର କରିଦିଅ |        


ଅଭିମାନୀ, କାମୀ, କ୍ରୋଧୀ ଏବଂ ଲୋଭି ଲୋକଙ୍କ ସଙ୍ଗୀ ହୁଅନାହିଁ |  ଏମାନଙ୍କ ସଙ୍ଗୀ  ହେଲେ ତୁମ ହୃଦୟରେ କଳୁଷିତ ଭାବ ଜାତ ହେବ | ଆଉ ଦୈବୀ ସହାୟତା ମିଳିବା କଷ୍ଟକର ହେବ |

କାହାରି ନିନ୍ଦା କର ନାହିଁ | ଏହା ଦ୍ୱାରା ତୁମର ବାକ୍ୟ କଳୁଷିତ ହେବ | ତୁମର ବାସନା ମଳିନ ହୋଇଯିବ | କାହାରି ନିନ୍ଦା କରିବା ସଙ୍ଗେ ସଙ୍ଗେ ତାଙ୍କ ପ୍ରତି ବଇରୀ ଭାବ ଜାତ ହେବ | ଆଉ ଚିତ୍ତରେ କୁସଂସ୍କାର ଚିତ୍ର ଅଙ୍କା  ହୋଇ ଚାଲିବ |  


ବିଶେଷ ଆବଶ୍ୟକ ନ ହେଲେ କୌଣସି ବଡ଼ ଲୋକ,  ସରକାରୀ କର୍ମଚାରୀ, ଆଉ ସମ୍ମାନ ପ୍ରତିଷ୍ଠା ଚାହୁଁଥିବା ଲୋକମାନଙ୍କ ସହିତ ମିଳାମିଶା କରନାହିଁ | ସେମାନଙ୍କ କଥାରେ ଆଜ୍ଞା, ଆଜ୍ଞା ଓ ଆଜ୍ଞା ହଁ , ଆଜ୍ଞା ହଁ କହି କହି ଶୁଦ୍ଧ ବିଚାରକୁ ଅବହେଳିତ କରିବାକୁ ପଡିବ |  କେବେ କେମିତି ନ୍ୟାୟରେ ଯଦି ତାଙ୍କ ଅନ୍ୟାୟର ବିରୁଦ୍ଧରେ ଆଚରଣ କରୁଛ, ସେ ଅସନ୍ତୁଷ୍ଟ ହେବେ |

ଦୋଷୀ ଅନ୍ୟର ଦୋଷ ଖୋଜିବୁଲେ | ଅନ୍ୟର ଦୋଷ ଦେଖାଇ ସେ ନିଜର ଦୋଷକୁ ଢାଙ୍କି ଦେବାପାଇଁ ଚାହେଁ | ସାଧୁମାନେ ସର୍ବଦା ସବୁ-ଠାରେ ସାଧୁତା ଖୋଜିବାରେ ବ୍ୟସ୍ତ ଥାନ୍ତି | ଏମାନେ ହଂସ ଭଳି ଦୁଧ ତକ ଗ୍ରହଣ କରି ପାଣିତକ ପରିତ୍ୟାଗ କରନ୍ତି |


ଯେତେ ବନେଇ ଚୁନେଇ ବାହାରକୁ ସୁନ୍ଦର ଦେଖାଇଲେ ଯେତେ ମିଠା କଥା କହିଲେ କଅଣ ହେବ | ଯେ ପର୍ଯ୍ୟନ୍ତ ତୁମେ କଳୁଷିତ, ଯେ ପର୍ଯ୍ୟନ୍ତ ଅନ୍ତକରଣ ଶୁଦ୍ଧକରି ଅନ୍ତର୍ଯ୍ୟାମୀ ପରମେଶ୍ୱରଙ୍କୁ ଜାଣି ନ ପାରିଛ, ତେବେ ଏ ବାହାରିଆ ସୁନ୍ଦରତା ଓ ବାହାରିଆ ଭକ୍ତିର କିଛି ମୂଲ୍ୟ ନାହିଁ | ଏହା କେବଳ ମଦ ବା ମଦିରା ଭରା ସୁନା କଳସଟି ଭଳି ହେବ |

ତୁମେ ଅନେକ କୀର୍ତ୍ତି କରିଛ | ଅନେକ ବଡ଼ ବଡ଼ କାମ କରିଛ, ଲୋକେ ତୁମକୁ ବା ହା  ବା କହୁଛନ୍ତି, ପୂଜା କରୁଛନ୍ତି, କଅଣ ହେଲା ସେଥିରୁ ? ଯେ ପର୍ଯ୍ୟନ୍ତ ତୁମେ ଲୁଚାଇ ଛପାଇ ପାପ କରି ଚାଲିଛ ସେ ପର୍ଯ୍ୟନ୍ତ ତୁମେ ମାନସିକ ଅଶାନ୍ତି, ସନ୍ତାପ ଆଉ ନରକ ଦୁଃଖରୁ ମୁକ୍ତି ପାଇ ପାରିବ ନାହିଁ |

ଭକ୍ତି, ଧର୍ମ ଓ ଜ୍ଞାନ ନାମରେ ମନ୍ଦକର୍ମ କରି ଭଗବାନଙ୍କୁ ଠକାଇବା  ଠାରୁ ବଡ଼ ପାପ କିଛି ନାହିଁ | ମନ୍ଦ ଆଚରଣ କର, ମନ୍ଦ ହୁଅ ବା ଖରାପ କଥା କହ କିନ୍ତୁ ଭକ୍ତି ଓ ଭକ୍ତିପୂର୍ଣ୍ଣ "ଶ୍ରୀ " ନାମକୁ କଳଙ୍କିତ କରିବାକୁ ଚେଷ୍ଟା କରନାହିଁ |


ଅନ୍ୟର ଐଶ୍ଵର୍ଯ୍ୟରେ ଇର୍ଷା କର ନାହିଁ | ନିଜେ ମୁଠାକ  ଭାତରୁ ଗରୀବକୁ ଗଣ୍ଡାଏ ଦେଇ ଖାଅ | ଦୁଃଖୀକୁ ଦେବା ଓ ସୁଖୀର ସୁଖରେ ସୁଖୀ ହେବା, ହେଲା ସେବା | ସମସ୍ତଙ୍କର ହିତ କାମନା କର | ସମସ୍ତଙ୍କର ହିତ କର | ଅନ୍ୟର ହିତ ଦେଖି ଆନନ୍ଦିତ ହୁଅ | ନିରାନନ୍ଦ ନର୍କ ଓ ଆନନ୍ଦ ହିଁ ସ୍ୱର୍ଗ | ନିରାନନ୍ଦ ତ୍ୟାଗ କର ଓ ବିଶୁଦ୍ଧ ଆନନ୍ଦ ରେ ବୁଡି ରୁହ | ନିତ୍ୟାନନ୍ଦ ପରମାନନ୍ଦ ହିଁ ଖୁବ ନିକଟରେ | ବିଶୁଦ୍ଧାନନ୍ଦ ଭାବରେ ଆଗେଇ ଚାଲ, ତାଙ୍କ ସହ ମିଳାଇ ଯାଅ |

ତୁମ ଉପରେ ତୁମ ଇଷ୍ଟଦେବଙ୍କର କୃପା ସବୁବେଳେ ରହିଛି ବୋଲି ବିଶ୍ୱାସ କର |  ଆଉ ମଧ୍ୟ ଜାଣିରଖ ତୁମ ଉପରେ ତାଙ୍କର ଅସୀମ ଦୟା | ତୁମେ ମୋଟେ ନିଜକୁ ଛୋଟ, ଦୀନ, ହୀନ, ଓ ନୀଚ୍ଚ ମନେ କର ନାହିଁ | ଭଗବାନଙ୍କର ଛୋଟରୁ ବଡ଼,  ଦୀନ ଓ ଅଯୋଗ୍ୟ ମାନଙ୍କୁ ଯୋଗ୍ୟ ବନାଇ ଦେବାକୁ ଯଥେଷ୍ଟ କ୍ଷମତା ରହିଛି | ଅସମ୍ଭବକୁ ସମ୍ଭବ ରେ ପରିଣତ କରିବାର କ୍ଷମତା ତାଙ୍କଠାରେ ଅଛି | ତେଣୁ ସେ ଭଗବାନ | ତାଙ୍କଠାରେ ପୂର୍ଣ୍ଣବିଶ୍ୱାସ ରଖ | ତୁମେ କାହିଁକି ନିଜକୁ ଭାଗ୍ୟହୀନ ମନେକରି ନିଜକୁ ନିଜେ ଦୁର୍ବଳ ମନେ କରୁଛ | ଯେ ସର୍ବଦା ଭଗବାନଙ୍କର ବା ଇଷ୍ଟଙ୍କର ନାମ ସ୍ମରଣ କରି ଚାଲେ ନାମୀ ବା ଇଷ୍ଟଦେବ ତା ଭିତରେ ସର୍ବଦା ରହନ୍ତି | ନାମ ଓ ନାମୀ ଅଲଗା ନୁହନ୍ତି ଏକ | ସେ ଯେତେବେଳେ ତୁମ ଭିତରେ ସର୍ବଦା ରହିବେ ବା ରହିଲେ, ତୁମେ ଅସହାୟ ବା ଭାଗ୍ୟହୀନ କିପରି ହେବ |      


ସର୍ବଦା ମନରେ ପ୍ରଫୁଲ୍ଲତା ଆଣିଲେ ଭଗବାନ ପାଖ ଛାଡ଼ନ୍ତି ନାହିଁ | ତାଙ୍କୁ ମନେ ରଖିଥିବା ଯାଏ-ସୁଖ, ଭୁଲିଗଲେ ଦୁଃଖ ବା ବିଷାଦ ଆସେ|
 
ଗୋଟିଏ ପରେ ଗୋଟିଏ ଜିନିଷ ମାଗୁଥିବା ଯାଏ ଦୁଃଖ ବଢି ଚାଲିଥାଏ | ଚାହିଦା କମିଗଲେ ଦୁଃଖ ଓ ଅଶାନ୍ତିର ପରିସମାପ୍ତି | ଆଧାରକୁ ନ ଚାହିଁ ଆଧେୟକୁ ଚାହିଁବା ଆମର ମୂର୍ଖତା ବା ଅଜ୍ଞାନତା ମାତ୍ର | ଯିଏ ସବୁର ଆଧାର, ଯିଏ ସବୁର ଉତ୍ସ, ସେହି ସର୍ବଶକ୍ତିମୟୀ ଓଁ ମା ବା ଭଗବାନଙ୍କୁ ନିଜର ହୃଦୟାସନରେ ବସାଅ, ସେ , ଆସନରେ ଥରେ ଚକା ମାଡି ବସିଗଲେ ଆଉ ଉଠିବାପାଇଁ ମନ କରନ୍ତି ନାହିଁ | ସେ ଭିତରେ ସର୍ବଦା ରହିଗଲେ ସବୁ ଶକ୍ତି, ସବୁ ସଫଳତା, ସମସ୍ତ ଆନନ୍ଦ ମନକୁ ଆସିଯିବ | ଦୁଃଖ, ଦରିଦ୍ରତା, ଅଶାନ୍ତି, ଅହମିକା, କାମ, କ୍ରୋଧ, ଭୟ, ଲୋଭ, କପଟତା ଆଦି ତୁମକୁ ପୁରା ଆୟତରେ ରଖି ନଚାଉ ଛନ୍ତି | ଏମାନେ ମାୟାର ସହଚର | ଉଜ୍ଜ୍ଵଳ ରୁ ଉଜ୍ଜ୍ୱଳତର ମହା ତେଜସ୍କ୍ରିୟ ସର୍ବଶକ୍ତିମାନ ଶ୍ରୀ ଭଗବାନ ବା ଶ୍ରୀ ଭଗବତୀଙ୍କୁ ତୁମର ହୃଦୟାସନରେ ସ୍ଥାପନ କରିପାରିଲେ, ଅନ୍ଧକାର ସ୍ୱରୂପ  ଦୁର୍ଗୁଣ ଗୁଡିକ ପଳାଇବାପାଇଁ ପଥ ଖୋଜିବେ | ସର୍ବଦା "ଶ୍ରୀ" ନାମ ଜପ କର | ନାମୀ ଠାରୁ ନାମ ର ଆସନ ବହୁ ଉଚ୍ଚରେ |

ନିୟମିତ ଅନ୍ତତଃ ପ୍ରତ୍ୟହ  10 ମାଳା ଇଷ୍ଟମନ୍ତ୍ର ଜପ କର | ଆଉ ସବୁବେଳେ କର୍ତ୍ତବ୍ୟ କର୍ମ ଭିତରେ କାମ କଲାବେଳେ ନାମ ନିଅ | ଏଇଥିରେ ସବୁ ଅସାଧ୍ୟ ସାଧ୍ୟ ହୋଇ ସିଦ୍ଧି ତୁମର କରତଳାଗତ ହେବ |

|| ଓଁ ଶାନ୍ତି ||                     


||ଦଶ ||
ପରମାତ୍ମା ପରମେଶ୍ୱର ସର୍ବଶକ୍ତିମାନ | ସମସ୍ତ ବିଶ୍ୱର ସ୍ରଷ୍ଟା | ସେ ଅତି ପରମାଣୁଠାରୁ ସୂକ୍ଷ୍ମାତିସୂକ୍ଷ୍ମ | ସମସ୍ତେ ତାଙ୍କ ଭିତରେ, ସେ ମଧ୍ୟ ସମସ୍ତଙ୍କ ଭିତରେ | ସାମାନ୍ୟ କୀଟଠାରୁ ସାରା ବିଶ୍ୱବ୍ରହ୍ମାଣ୍ଡରେ ସେ ପରିବ୍ୟାପ୍ତ |  ସେ ସର୍ଵଜ୍ଞାତା | ଜ୍ଞାନ, ବୁଦ୍ଧି, ଭକ୍ତି, ସନ୍ତୋଷ, ସାଫଲ୍ୟ- ସବୁ ସେ | ସବୁ ତାଙ୍କ ଦ୍ୱାରା ସମ୍ଭବ | ପରମ ବନ୍ଧୁ ସେ ଆମର | ତାଙ୍କ ଠାରୁ ବଳି ବନ୍ଧୁ, ଅତି ପ୍ରିୟ, ପରମ ହିତାକାଂକ୍ଷୀ, ପରମ ଦୟାଳୁ, ପରମ ପ୍ରେମାସ୍ପଦ ଆଉ କେହି ନାହିଁ | ସେ ସବୁବେଳେ ଆମକୁ ତାଙ୍କ କୋଳକୁ ଟାଣିନେବା ପାଇଁ ବ୍ୟଗ୍ର | କେବଳ ଆଜିର ନୁହେଁ, ବହୁଦିନରୁ ସେ ଆମର- ନିଜର ଏକଥା ସେ ମୋଟେ ଭୁଲି ନାହାନ୍ତି | ଆମେ କିନ୍ତୁ ନୂଆ କପଟିଆ ସାଙ୍ଗ ପାଇ ତାଙ୍କୁ ଭୁଲିଯାଉଛେଁ | ସେ ଆମର ନିତ୍ୟ ସାଥୀ | ଆଜି ଯେଉଁ କ୍ଷଣସ୍ଥାୟୀ ବନ୍ଧୁ ସବୁ ମିଳିଛନ୍ତି, ଆମକୁ ପ୍ରଲୋଭନ ଦେଖାଇଚାଲିଛନ୍ତି, ଏମାନେ ଅନିତ୍ୟ |  ସାମାନ୍ୟ କିଛି ଆମର ବିପଦ ଦେଖିଲେ ଆହୁରି ବିପଦ ଆଡ଼କୁ ଓଟାରି ନେବାକୁ ଏମାନେ ଚେଷ୍ଟା କରନ୍ତି | ଆମର ଦୁଃଖ, କଷ୍ଟ, ଅଭାବ, ଓ ଅସଫଳତା କେବଳ ଏଇ ମାନଙ୍କ ଦ୍ୱାରା ହିଁ ହୋଇଥାଏ | ଏମାନଙ୍କୁ ଭଲ ଭାବରେ ଚିହ୍ନି ଏମାନଙ୍କ ଠାରୁ ଦୁରେଇ ନରହିଲେ ଦୁଃଖ, କଷ୍ଟ, ଅଭାବ, ଅସନ୍ତୋଷ, ଅସଫଳତାର ଆମେ ସମ୍ମୁଖୀନ ହୋଇଥାଉ | ଏମାନେ ହେଲେ ମିଥ୍ୟା, କପଟତା, ଛଳନା, ଅବିଶ୍ୱାସ, ବ୍ୟଭିଚାର, କ୍ରୋଧ, କାମ,  ଅହଙ୍କାର, ପ୍ରଭୃତି | ପ୍ରଲୋଭନ ଦେଖାଇ ସର୍ବଦା ଆମକୁ ବିପଥଗାମୀ କରାଇବା ଏମାନଙ୍କର କାମ | ଆମର ପରମ ପ୍ରିୟ, ପରମ ହିତାକାଂକ୍ଷୀ, ପରମ ବନ୍ଧୁ, ଶ୍ରୀ ଭଗବାନଙ୍କ ଠାରୁ ଏମାନେ ସର୍ବଦା ଆମକୁ ବିଛିନ୍ନ କରିବାକୁ ଚେଷ୍ଟାକରି ସର୍ବନାଶ ଘଟାନ୍ତି |     


ମାନବ ଜୀବନ --ସର୍ବଦା ଶାନ୍ତି, ସନ୍ତୋଷ, ଓ ଆନନ୍ଦ ଚାହେଁ | ଏସବୁ ସେହି ପରମାତ୍ମାଙ୍କ ଦ୍ୱାରା ହିଁ, କେବଳ ମାତ୍ର ସମ୍ଭବ |  ପ୍ରକୃତ ବନ୍ଧୁ ସର୍ବଦା ଆମର ହିତ କାମନା କରନ୍ତି | କିନ୍ତୁ କପଟ ବନ୍ଧୁ ପ୍ରଲୋଭନ ଦେଖାଇ ଇନ୍ଦ୍ରଜାଲ ବୁଣି, ଶେଷରେ ନରକର ବାଟ ପରିଷ୍କାର କରିବାର ଚେଷ୍ଟା କରନ୍ତି | ସୁଖ--ଦୁଃଖ, ହାନି--ଲାଭ, ଦିନ--ରାତି, ଆଲୋକ--ଅନ୍ଧକାର, ସଂସାରରେ ସବୁ ଦୁଇ ଦୁଇ | ସେହିପରି ବନ୍ଧୁ ମଧ୍ୟ ଦୁଇ ପ୍ରକାର | ଅସଲ ଓ ନକଲ ବନ୍ଧୁ | ପ୍ରକୃତ ବନ୍ଧୁ କୌଣସି ପ୍ରତ୍ୟାଶା ନ ରଖି ସର୍ବଦା ସର୍ବଦା ଆମର ହିତ କାମନା କରନ୍ତି | କିନ୍ତୁ କପଟ ବନ୍ଧୁ --ସୁନା କଳସ ଭିତରେ ବିଷ ଭଳି | ଉପରେ ଦେଖିବାକୁ ଅତି ସୁନ୍ଦର | କଥା ମଧ୍ୟ ବହୁତ ମଧୁର | ବନଶୀ ଥୋପ ଦେଖାଇ କ୍ରମେ କ୍ରମେ ଏମାନେ ଆମକୁ ଟାଣି ନେବାର ପ୍ରୟାସ କରନ୍ତି | ଏମାନେ ହେଲେ ବିଶେଷତଃ --କାମ, କ୍ରୋଧ, ଅହମିକା, ଆସକ୍ତି, ପ୍ରଭୃତି |  ଗୋଟିଏ ଅତି କ୍ଷୁଦ୍ର ନିର୍ଦୋଷ କୀଟର ସାମାନ୍ୟ ଅସାବଧାନତା ପାଇଁ ଆଉ ଗୋଟିଏ ହିଂସ୍ର ପିପ୍ପିଲିକା ତାକୁ ଆୟତ କରିବାକୁ ପ୍ରୟାସ କଲାବେଳେ, ତାର ଅନ୍ୟ ସାଥୀମାନେ ଏକଜୁଟ ହୋଇ, ତାକୁ (କୀଟଟିକୁ) ଶେଷ କରିଦିଅନ୍ତି | ଏହିପରି ମନୁଷ୍ୟ କୌଣସି ଅସୁବିଧା ବା ଦୁର୍ବଳତା ବଶତଃ ଏହି କାମ କ୍ରୋଧାଦି ଯେ କୌଣସି ଶତୃ କବଳରେ  ପଡିଗଲେ, ଅନ୍ୟ ଶତୃମାନେ ଏକତ୍ର ମିଳି ତାକୁ ଶେଷ କରିବା ପାଇଁ ସେମାନଙ୍କର ସମସ୍ତ ଶକ୍ତି ପ୍ରୟୋଗ କରି ଦିଅନ୍ତି | ପ୍ରଥମେ ଏମାନେ ସେମାନଙ୍କର ମୋହିନୀ ରୂପ, କପଟ ବ୍ୟବହାର ଦେଖାଇ କ୍ରମଶଃ ଆମକୁ ଆୟତ କରି ନିଅନ୍ତି | ଥରେ ସେମାନଙ୍କର ଶୀକାର ହୋଇଗଲେ ସେମାନଙ୍କ କବଳରୁ ମୁକୁଳିବା ବଡ଼ କଠିନ ହୋଇପଡେ | 


ପ୍ରଥମାବସ୍ଥାରେ ଚେଷ୍ଟାକଲେ ସେମାନଙ୍କ କବଳରୁ ମୁକ୍ତ ହେବା ପାଇଁ ବିଶେଷ କଷ୍ଟ ହୁଏ ନାହିଁ | ସମୟ ଗଡିଗଲେ ଅବସ୍ଥା ଆୟତ୍ତର ବାହାର ହୋଇଯାଏ | ସାମାନ୍ୟ ମଣିଷ ଆମେ, ଅତି ଦୁର୍ବଳ, ଦୁର୍ବଳତାର ସୁଯୋଗ ନେଇ କାମ, କ୍ରୋଧ ଆଦି ଭୀଷଣ ଶତୃ ମାନେ ଆମକୁ କରାୟତ୍ତ କରନ୍ତି | ପ୍ରକୃତ ଶତୃଠାରୁ ଏମାନେ ଅତ୍ୟନ୍ତ ଭୟଙ୍କର | ଏମାନଙ୍କର ଉପରେ ମଧୁ ଆଉ ଅଣ୍ଟିରେ ଛୁରୀ | କେବଳ ଭଗବତ ସ୍ମରଣ ଓ ଉପାସନା ଦ୍ୱାରା ଏମାନଙ୍କର ଦୌରାତ୍ମ୍ୟ କ୍ରମେ କ୍ରମେ ହ୍ରାସ ପାଏ |


ଏହି ଉପାସନାର ପ୍ରଥମ ପଦ୍ଧତି ହେଲା--ପ୍ରଥମେ ସର୍ବଦା ନିଜକୁ ନିଜ କର୍ତ୍ତବ୍ୟ ମଧ୍ୟରେ ନିୟୋଜିତ କରି  ମନ ଓ ଶରୀର ସର୍ବଦା କର୍ମ ମଧ୍ୟରେ ହିଁ ରହୁ | କର୍ତ୍ତବ୍ୟ କଲାବେଳେ ଅଳୀକ ଚିନ୍ତାରୁ ଦୁରେଇ ରହିବା ପାଇଁ ତାଙ୍କର ନାମ ନିଅ | ତାଙ୍କରି ଭାବନା କର | ସର୍ବଦା ସେ ତୁମକୁ ପ୍ରତିକ୍ଷେତ୍ରରୁ କର୍ମ ପ୍ରେରଣା ଦେଉଛନ୍ତି ଏହା ଅନୁଭବ କର | ମିଥ୍ୟାଚାରରୁ ଦୁରେଇ ରୁହ | ପରନିନ୍ଦା, ପରଚର୍ଚ୍ଚା, ବା ଅଯଥା ବାକ୍ୟାଳାପ କରି ବହୁମୂଲ୍ୟ ସମୟ ନଷ୍ଟ କର ନାହିଁ | ଅଯଥାରେ ସମୟ ନଷ୍ଟ କଲେ ଭଗବାନ ଆମଠୁଁ ଦୂରେଇ ଯାଆନ୍ତି | କର୍ମ ବା କର୍ତ୍ତବ୍ୟ ହିଁ ଈଶ୍ୱର | ଏଣୁ କର୍ତ୍ତବ୍ୟ ଓ ସମୟକୁ ମୋଟେ ଅବହେଳା ନକରି ସଦୁପଯୋଗ କର | ଜଗତର ପ୍ରତ୍ୟେକ ନାରୀକୁ "ମା ତୁଲ୍ୟ" ଭକ୍ତିକର | ପ୍ରତ୍ୟହ ଜପରେ ନିୟମିତ ହୁଅ | ସତ୍ ସଙ୍ଗରେ ଯୋଗଦିଅ |  ସତ୍ ଆଲୋଚନା କର | ସଦ୍ ଗ୍ରନ୍ଥ ପାଠ କର | ଶରୀର ଓ ମନ ତୁମର ସଂଯତ ହେଉ | ଦୁସ୍ଥ, ରୋଗୀ, ଓ ସାଧୁ ସନ୍ଥଙ୍କର ସେବା କର | ଅହମିକା ଦୁରେଇ ଦିଅ | ମନ, ବଚନ, ଓ କାମରେ ସଂଯମୀ ହୁଅ | ତୁମର ଶ୍ରୀ ଇଷ୍ଟଙ୍କ କରୁଣାରୁ ତୁମେ କର୍ତ୍ତବ୍ୟନିଷ୍ଠ , ସତ୍ୟବାଦୀ  ଓ ସତ୍ୟାଶ୍ରୟୀ ହୁଅ | ସଫଳତା ସର୍ବଦା ତୁମର କରତଳାଗତ ହେଉ |
||ଓଁ ଶାନ୍ତି ||     


||ଏଗାର ||

1 | ହୃଦୟର ପବିତ୍ରତା ହିଁ ଅମରତ୍ୱର ଗୁପ୍ତ ତଥ୍ୟ | ଉପାସନା ଦ୍ୱାରା ଆତ୍ମଦର୍ଶନ ଓ ପରମାତ୍ମା ହିଁ ପରମ ତତ୍ତ୍ୱ |

2|  ବାକ୍ୟ ଦ୍ୱାରା ବ୍ରହ୍ମଙ୍କର ସତ୍ତା ଉପଲବ୍ଧି କରି ହୁଏ ନାହିଁ | ବାକ୍ୟେନ୍ଦ୍ରିୟ ବ୍ରହ୍ମଙ୍କର ଅତୀତ | ଜିହ୍ୱା ବ୍ରହ୍ମର ଶକ୍ତି ବା ତେଜ ଦ୍ୱାରା କଥା କହିପାରେ | ବାକ୍ୟ--ବ୍ୟକ୍ତ | ବ୍ୟକ୍ତ ବାକ୍ୟଦ୍ୱାରା ଅବ୍ୟକ୍ତ ବ୍ରହ୍ମଙ୍କର ତତ୍ତ୍ୱ ବ୍ୟକ୍ତ କରାଯାଇ ପାରେନା |

3 | ଭଗବତ୍ ସାକ୍ଷାତକାର ହିଁ ଜୀବନର ଲକ୍ଷ୍ୟ | ଏହା ଜପ, ପ୍ରାର୍ଥନା, କୀର୍ତ୍ତନ, ଧ୍ୟାନ, ସତ୍ସଙ୍ଗ ଦ୍ୱାରା ପୂରଣ ହୋଇଥାଏ |

4|  କଠୋର କର୍କଶ ଵାକ୍ୟ ଓ ମିଥ୍ୟା ଭାଷଣରୁ ନିଜକୁ ବଂଚିତ କର | ଅପମାନ ଓ ଆଘାତ ସହ୍ୟ କରିବା ହିଁ ପ୍ରଧାନ ସାଧନା |

5 | "ମୁଁ ଶରୀର" ଏହା ଭାବିବା ଅବିଦ୍ୟା ଏବଂ "ଶୁଦ୍ଧ ଚୈତନ୍ୟ ଶକ୍ତି " "ମୁଁ ବ୍ରହ୍ମ" ଏହି ଭାବନା ହିଁ ବିଦ୍ୟା |

6| "ସେବା" ଓ "ତ୍ୟାଗ"ଏହି ଦୁଇଟି ଆଧ୍ୟାତ୍ମିକ ଚେତନାର ଦୁଇଟି ମୂଳ ତତ୍ତ୍ୱ |

7|  ଉଠିବା-ବସିବା , ପାନ-ଭୋଜନ, ଯାଆ -ଆସ, ସବୁ ସମୟରେ ଇଷ୍ଟ ମନ୍ତ୍ର ଜପ କର | ତୁମର ଅନୁଗାମୀ ହେବାପାଇଁ ଏହା ଏକମାତ୍ର ଧନ |

8| ବ୍ରହ୍ମଜ୍ଞାନ ଲାଭ ପାଇଁ କେବଳ ଗୁରୁକୃପା ହିଁ ପର୍ଯ୍ୟାପ୍ତ |

9| ସେବା, ପ୍ରେମ, ଦାନ, ଯୋଗ, ଓ ସତ୍ୟ ସଂକ୍ଷେପରେ ଏହାହିଁ ସାଧନା |
10 |ଅନ୍ୟ କେହି ଜଣେ ତୁମକୁ ଘୃଣା କରୁ, ଏହା ତୁମେ କଦାପି ଚାହଁ --ନାହିଁ | ଏହା ମଧ୍ୟ ନିଶ୍ଚିତ ଭାବେ ହେବ ଯଦି ତୁମେ ଅନ୍ୟକୁ ଘୃଣା ନ କର | ତୁମେ କାହାକୁ ଘୃଣା ନ କଲେ କେହି ତୁମକୁ ଘୃଣା କରିବେ ନାହିଁ |
11 |  ହୃଦୟ ଭିତରେ ଭକ୍ତି ବୀଜ ବପନ କର | ବିଶ୍ୱାସ ରୂପକ ଜଳ ଅଙ୍କୁରୋଦଗମ ପାଇଁ ଦିଅ | ଚାରିକଡ଼ ସତ୍ ସଙ୍ଗ ରୂପକ ବାଡ଼ ଦ୍ୱାରା ଆବଦ୍ଧ କର | ଯେପରି କାମ କ୍ରୋଧ ଆଦି ଶତୃ କ୍ଷେତରେ ପ୍ରବେଶ କରି ନ ପାରନ୍ତି, ସେ ଦିଗରେ ତୀବ୍ର ଦୃଷ୍ଟି ରଖ | 


12 | ଶ୍ରଦ୍ଧା ବିହୀନ ଭଜନ, କୀର୍ତ୍ତନ ହିଁ ଅରଣ୍ୟ ରୋଦନ | ଜ୍ଞାନାଗ୍ନି ଦ୍ୱାରା ଶୁଦ୍ଧ ସାଧକ ପରମ ପଦ ପ୍ରାପ୍ତି କରେ |
13 | ବାସନା ଅଗ୍ନି ଅନ୍ତକରଣକୁ ସର୍ବଦା ବିନଷ୍ଟ କରେ |
14 |  ଈଶ୍ୱର ହିଁ ସୁଖଦାତା |
15 |  ସତ୍ୟ--ସାକ୍ଷାତକାର ହିଁ ଜ୍ଞାନ |
16 | ରାଗ, ଦ୍ୱେଷ ଓ ଭୟ ଅବିଦ୍ୟାରୁ ପ୍ରସୂତ |
17 |  କାମନା ହିଁ ଦରିଦ୍ରତା, ଅପୂର୍ଣ୍ଣତା, ଏବଂ ମୃତ୍ୟୁର ମୂଳ କାରଣ |
18  |  ପୂର୍ଣ୍ଣତ୍ତ୍ୱ କିରଣରେ ଉଦ୍ଭାସିତ ପ୍ରଶସ୍ତ ପଥ ହିଁ ଧର୍ମ |   
19  | ଭକ୍ତର ପ୍ରାରବ୍ଧକୁ ମଧ୍ୟ ଭଗବାନ ନିଜ ଉପଲବ୍ଧକୁ ନେଇ ନିଅନ୍ତି  |  
20 | ବାସନାର କ୍ଷୟ ଘଟିଲେ ଆତ୍ମଜ୍ଞାନ ପ୍ରାପ୍ତି ହୁଏ |
21  ସମସ୍ତ ଦୋଷର ସମସ୍ତ ଖରାପର ପ୍ରେମ ହିଁ ଏକମାତ୍ର ଔଷଧ |
22 |  ମନୁଷ୍ୟ ଜୀବନର ସମୟ ସବୁଠୁଁ ମୂଲ୍ୟବାନ | ଏହି ମନୁଷ୍ୟ ଜନ୍ମ ବହୁତ ଜନ୍ମ ପରେ ମିଳିଥାଏ | ଭଜନ--ସାଧନା ଦ୍ୱାରା ଏହା କ୍ରମଶଃ ଉନ୍ନତ ହୋଇଥାଏ |
23 | ମୃତ୍ୟୁ କେତେବେଳେ ପୂର୍ବରୁ କାହାକୁ ସଙ୍କେତ ଦେଇ ଆସି ନଥାଏ | କେତେବେଳେ ସେ ଆସିଯିବ କେହି ଜାଣେନାହିଁ |  ଏଣୁ ଇଷ୍ଟଙ୍କ ସ୍ମରଣ କଦାପି ଭୁଲିଯିବା ଉଚିତ୍ ନୁହେଁ |  
24 |   ଆତ୍ମଚୈତନ୍ୟ ଉଦ୍ଧାର ପାଇଁ ସାତ ପାଞ୍ଚ ସବୁ ଛାଡି ସର୍ବଦା ଭଗବାନଙ୍କର ଭଜନ କୀର୍ତ୍ତନ କର |
  25 |  ଭଗବତ୍ ଭକ୍ତି ବା ଭଗବାନଙ୍କୁ ପାଇବା ପାଇଁ କୌଣସି ଜାତି ବର୍ଣ୍ଣର ବାଧା ନାହିଁ |  ଆବଶ୍ୟକ କେବଳ ବିଶୁଦ୍ଧ ପ୍ରେମ |
26 | ଜୀବନକୁ ଈଶ୍ୱରମୟ କରିଦିଅ | ମନ ଶାନ୍ତ ହୋଇଗଲେ ହୃଦୟର ସତ୍ୟ -ତତ୍ତ୍ୱର ପ୍ରତିବିମ୍ବ ପରିଦୃଷ୍ଟ ହୁଏ |
27 | ପ୍ରାର୍ଥନା ବିନା ଅନ୍ତଃକରଣ ଶୁଦ୍ଧ ହୁଏନା | ଅନ୍ତଃକରଣ ଶୁଦ୍ଧ ନ ହେଲେ ଧ୍ୟାନ ବା ଜପ ହୋଇ ପାରେ ନାହିଁ | ଜପ ଧ୍ୟାନ ବ୍ୟତୀତ ତତ୍ତ୍ୱ ସାକ୍ଷାତକାର ସମ୍ଭବ ନୁହେଁ | ସାକ୍ଷାତକାର ବା ଦର୍ଶନ ବ୍ୟତୀତ ମୁକ୍ତି ପ୍ରାପ୍ତି ହୁଏ ନାହିଁ |
|

||ଓଁ ଶାନ୍ତି || 

||ବାର ||

୧ || ଓଁ  କାର ସ୍ୱରୂପା ସର୍ବ ଶକ୍ତି ମୟୀ ଜଗତ ଜନନୀ ଓ ଜଗଦୀଶ୍ଵର  ଶ୍ରୀ ଭଗବାନ, ଶିବ, ଦୁର୍ଗା, ରାମ, କୃଷ୍ଣ, କାଳୀ, ଗଣେଶ, ଆଦି କେହି ଭିନ୍ନ ନୁହଁନ୍ତି | ସମସ୍ତେ ସମାନ ଓ ଏକ | ଜଗତର ପ୍ରତ୍ୟେକ ପ୍ରାଣୀ ଚଳ, ଅଚଳ, ଆଦି ସବୁ ବସ୍ତୁ ଆଉ ସବୁ ସ୍ଥାନରେ ସେ ସତ୍ୟ ରୂପରେ ବିରାଜମାନ | ତାଙ୍କୁ ପାଇବାପାଇଁ ସତ୍ୟର ଆଶ୍ରୟ ଏକାନ୍ତ ପ୍ରୟୋଜନ |
୨  || ସତ୍ୟ ସବୁ ଧର୍ମର ମୂଳ | ଅସମ୍ଭବକୁ ସମ୍ଭବ କରିବା ପାଇଁ ଏହାର ଶକ୍ତି ଅସୀମ |
୩ ||   ସତ୍ୟାଶ୍ରୟୀ ହୁଅ | ସତ୍ୟ କୁହ | ସତ୍ ଚିନ୍ତା ଓ ସତ୍ କର୍ମ କର |
4 || ପରମେଶ୍ୱରୀ ଶ୍ରୀ ମା ବା ପରମେଶ୍ୱର ହିଁ ପ୍ରେମ, ଶାନ୍ତି, ମୁକ୍ତି, ଆଲୋକ, ଶକ୍ତି, ଓ ଜ୍ଞାନର ସମୁଦ୍ର ଅଟନ୍ତି | ତାଙ୍କ ଶରଣରେ କୌଣସି ଅଭାବ ରହେ ନାହିଁ |
 ୫|| ଶୁଦ୍ଧତା, ଦାନଶୀଳତା, ଇନ୍ଦ୍ରିୟ ସଂଯମ, ସତ୍ୟବାଦିତା, ତ୍ୟାଗ, ଉତ୍ସାହ ଓ ଧୈର୍ଯ୍ୟ --ଏହି ଗୁଣ ଗୁଡିକ ଈଶ୍ୱର ପ୍ରାପ୍ତିର ସହାୟକ | ନିଷ୍କଳଙ୍କ ସରଳ ଓ କର୍ତବ୍ୟନିଷ୍ଠ ହୁଅ | ଯିଏ ପ୍ରକୃତ ଭକ୍ତ ଓ ପ୍ରକୃତରେ ଈଶ୍ଵରଙ୍କ ଠାରେ ଆତ୍ମ ସମର୍ପଣ କରେ ଭଗବତୀ ଓ ଭଗବାନ ତାର ଦାସ ହୋଇ ରହନ୍ତି |

 ୬ || ଅଭାବଗ୍ରସ୍ତ ଲୋକ ଓ ସଦ୍ ଅନୁଷ୍ଠାନକୁ ନିଜର ଶକ୍ତି ଅନୁଯାୟୀ ଦାନ କର | ଶ୍ରୀ ମା ତୁମକୁ ବହୁ ଗୁଣରେ ଦେବେ | ଫଳର ଆଶା ନ ରଖି କର୍ମ କରି ଯାଅ | ଲୋଭୀ ମାନେ ହିଁ ହତଭାଗ୍ୟ | ଆଗାମୀ କାଲି ପାଇଁ ଆଜି ଠାରୁ ଧର୍ମ ଓ ଧନ ସଞ୍ଚୟ କର | ବେହିସାଵୀ ଲୋକ ବରାବର ଠକେ | ଏଣୁ ହିସାବୀ ହୁଅ |     

୭|| ମନ୍ଦ କିଛି ଦେଖ ନାହିଁ --କହ ନାହିଁ |

 ୮|| କ୍ଷମତା ଓ ସମ୍ପଦରେ ଗର୍ବିତ ହୁଅ ନାହିଁ | ଗର୍ଵରୁ ପତନ ହୁଏ | ଆଉ ଅପମାନ ଅପଯଶ ମିଳେ |      

୯ || ନିରାଡ଼ମ୍ବର ଜୀବନ ଯାପନ କର | ଉନ୍ନତ ଚିନ୍ତା କର |

 ୧0 || ବ୍ରହ୍ମଚର୍ଯ୍ୟ ହିଁ ବ୍ରହ୍ମମୟୀ ଓଁ  ମା , ଶ୍ରୀମା , ବ୍ରହ୍ମଚର୍ଯ୍ୟ ପାଳନ କଲେ ଦୀର୍ଘ ଜୀବନ, ଶକ୍ତି, ଧନ, ଖ୍ୟାତି, ସ୍ମୃତି ଓ ପବିତ୍ରତା ବୃଦ୍ଧି ହୁଏ |   

୧୧ || ଉପାସ୍ୟ ଓ ଉପଦେଷ୍ଟା ଶ୍ରୀ ସଦ୍ ଗୁରୁଦେବଙ୍କର ଧ୍ୟାନ ଜପ, କୀର୍ତ୍ତନାଦି ଉପାସନା ନିୟମିତ କର |  ସମୟ ସବୁଠାରୁ ମୂଲ୍ୟବାନ | ଟଙ୍କା ପଇସା ନଷ୍ଟ ହେଲେ ପୁଣି ରୋଜଗାର କରିହୁଏ | କିନ୍ତୁ ଯେଉଁ ସମୟ ନଷ୍ଟ ହୁଏ, ତାହା କଦାପି ଫେରେ ନାହିଁ | ସମୟ ମୋଟେ  ନଷ୍ଟ କର ନାହିଁ |  ଅବସର ସମୟରେ ଦୁସ୍ଥ, ଅତିଥି ମାନଙ୍କର ସେବା କର | ସଦ୍ ଗ୍ରନ୍ଥ ପାଠ ଓ ସତ୍ ସଙ୍ଗ କର | ସତ୍ ଉପାୟରେ ଧନ ଉପାର୍ଜନ କର |  

୧୨  ||  ସବୁବେଳେ ନିଜର ଦୋଷ ଦେଖିବାକୁ ଚେଷ୍ଟାକର | ଅନ୍ୟର ଦୋଷ ନ ଦେଖି ଗୁଣ ଦେଖ | ପରନିନ୍ଦା, ପରଚର୍ଚ୍ଚା କର ନାହିଁ | ଅସ୍ଥିର ଓ ଚଞ୍ଚଳ ନ ହୋଇ ଧୀର ସ୍ଥିର, ଶାନ୍ତ ଶିଷ୍ଟ, ଦୃଢ଼, ସ୍ୱଳ୍ପଭାଷୀ ଓ ବିନୟୀ ହୁଅ |   
୧୩ ||  ରାଗ ମଣିଷର ପ୍ରଧାନ ଶତୃ | କୋମଳ କଥାରେ ଅସାଧ୍ୟ ସାଧନ ହୁଏ | ମୃଦୁ ଓ ମିଷ୍ଟ ଉତ୍ତରରେ କ୍ରୋଧୀ ର କ୍ରୋଧ ଶାନ୍ତ ହୋଇଯାଏ |   
୧୪ || ଜନ୍ମଦାତ୍ରୀ, ମାତୃଭୂମି, ଗୋମାତା, ଜଗତ୍ ମାତାଙ୍କର ସେବାକର | ଆତ୍ମୋତ୍ସର୍ଗ, ସେବା, ପ୍ରେମ, ତୁମର ଅର୍ଘ୍ୟ ହେଉ |  
୧୫ || ଆଗ୍ରହ ସହକାରେ ନିଜର ବାପା, ମା, ଶାଶୁ, ଶଶୁର, ସ୍ୱାମୀ, ଶ୍ରୀଗୁରୁ, ଇଷ୍ଟ, ପୀଡିତ ଓ ଦରିଦ୍ର ଙ୍କର ସେବାକର |     
୧୬   || କାହାରିକୁ ଘୃଣା କର ନାହିଁ | ଅନ୍ୟକୁ ବିରକ୍ତ କର ନାହିଁ  | ଅଶ୍ଳୀଳ ଓ ଖରାପ ଶବ୍ଦ ବ୍ୟବହାର କର ନାହିଁ | ଉତ୍ୟକ୍ତ ହୁଅ ନାହିଁ | ଅଳସୁଆ, ରାଗୀ, ଲୋଭୀ, ମିଥ୍ୟାବାଦୀ, ନିଶାସକ୍ତ ବ୍ୟକ୍ତିଙ୍କର ସଙ୍ଗୀ ହୁଅନାହିଁ |
୧୭   || ଭକ୍ତି ସହକାରେ ନିଃସ୍ୱାର୍ଥ ଭାବରେ, ବ୍ୟାକୁଳ ପ୍ରାଣରେ ସରଳ ଭାବରେ ଉପାସନା କର |

୧୮  || ବିନା ଗୁରୁରେ ଜପ ଧ୍ୟାନ ଆଦି ନିଷ୍ଫଳ ବୋଲି ଅନେକ କୁହନ୍ତି ବା ତୁମକୁ କହି ପାରନ୍ତି | ସେ କଥା ଶୁଣ ନାହିଁ | ଉପାସନାର ଶକ୍ତି ଅସୀମ | ନିଜର ରୁଚି ଅନୁଯାୟୀ ଯେ କୌଣସି ଦେବତାଙ୍କର ଓ ଶ୍ରୀ ଗୁରୁଦେବଙ୍କର ଧ୍ୟାନ ଓ ଜପ ଆଦି ନିୟମିତ କଲେ ସେହି ପରବ୍ରହ୍ମ ଶ୍ରୀ ସଦ୍ଗୁରୁ ରୂପରେ ଦିନେ ତୁମକୁ ନିଶ୍ଚୟ ଦର୍ଶନ ଦେବେ ଆଉ ଅଜ୍ଞାନ ଅନ୍ଧକାର ନାଶ କରିବେ | ତାଙ୍କରି ଦୟାରୁ ଇଷ୍ଟ ପ୍ରାପ୍ତି ମଧ୍ୟ ଅବିଳମ୍ବରେ ଘଟିଯିବ | ନାମ ଜପର ଶକ୍ତି କଥାରେ କହି ହେବ ନାହିଁ | ମହାପାପୀ ଅଜାମିଳ ନିଜ ପ୍ରିୟପୁତ୍ର--ନାରାୟଣର ନାମ ଭକ୍ତିହୀନ ଭାବରେ ଥରେ ମାତ୍ର ଉଚ୍ଚାରଣ କରି ବୈକୁଣ୍ଠ ପ୍ରାପ୍ତ ହେଲା | ଏଣୁ କେବଳ ନାମ ନାମୀ ଠାରୁ ବହୁତ ଊର୍ଧ୍ୱରେ |   

୧୯  || ଉପାସନା କାହା ପକ୍ଷରେ କିପରି ସମ୍ଭବ ତାହା ନିଜର ବ୍ୟକ୍ତିଗତ ରୁଚି ଓ ପୂର୍ବ ସଂସ୍କାର ଉପରେ ନିର୍ଭର କରେ | ଏଣୁ ସାର୍ବଜନୀନ ଭାବେ ଏ ବିଷୟରେ ଉପଦେଶ ଦେବା ସମ୍ଭବ ନୁହେଁ | ନିଜର ରୁଚି ଅନୁଯାୟୀ ଭଗବତୀ, ଭଗବାନ, କିମ୍ବା ସଦ୍ଗୁରୁଙ୍କର ଶ୍ରୀ ନାମ ଜପ କର | ବହୁ ଦିନର ରୁଦ୍ଧ ଦ୍ୱାର ନିଶ୍ଚୟ ଖୋଲିଯିବ | ଦୀକ୍ଷୀତ ହୋଇଥିଲେ ଗୁରୁଦତ୍ତ ନାମ ହିଁ  ତୁମର ପ୍ରଧାନ ଅବଲମ୍ବନ ହେଉ | ଯଦି ଦୀକ୍ଷୀତ ହୋଇ ନ ଥାଅ, ଯେଉଁ ନାମ ସ୍ମରଣରେ ତୁମେ ପରମ ଆନନ୍ଦ ଅନୁଭବ କରୁଛ, ପ୍ରତ୍ୟହ ନିୟମିତ ଭାବରେ ସେହି ନାମ ଜପ କର |  

୨0 || ଓଁ , ଓଁ ମା , ଶ୍ରୀଗୁରୁ , ଶ୍ରୀରାମ, ସୀତାରାମ , ରାଧାକୃଷ୍ଣ, ଓଁ ନମଃ ଶିବାୟ , ମହାମନ୍ତ୍ର , ଓ ଗାୟତ୍ରୀ , ଓଁ ନମଃ ଭଗବତେ ବାସୁଦେବାୟ ଇତ୍ୟାଦି ପ୍ରତ୍ୟହ ତ୍ରିସନ୍ଧ୍ୟା ରେ ଏକାଗ୍ର ଚିତ୍ତରେ ନିଜର ଇଷ୍ଟ ମନ୍ତ୍ର ୧0୮ ଥର ଜପକର | ଅସୁବିଧା ହେଲେ ବ୍ରାହ୍ମ ମୁହୂର୍ତ୍ତ ଭୋର ୪ଟା ବେଳେ, ସମସ୍ତ କାମ ତୁଟାଇ ରାତିରେ ଶୋଇଲା ବେଳେ ଆଉଥରେ ଜପ ଧ୍ୟାନ କର |  ଜପର ପୂର୍ଣ୍ଣ ଭାବରେ ମନୋନିବେଶ ହେବା ନିମନ୍ତେ ନିମ୍ନ ପ୍ରକ୍ରିୟାଟି ଅନୁସରଣ କର |    
 

୨ ୧|| ଧର, ତୁମର ଜପ ମନ୍ତ୍ର ହେଲା ଓଁ ମା | ଓଁ ଜପ ବେଳେ ନିଶ୍ୱାସ ଗ୍ରହଣ କର | ଚିନ୍ତା କର, ବ୍ରହ୍ମମୟୀ ଶ୍ରୀମାଙ୍କର ଅସୀମ ଶକ୍ତି ଏହି ପ୍ରଶ୍ୱାସ ସହ ଯାଇ ତୁମର ସାରା ଶରୀର ରେ ସଞ୍ଚରିତ ହେଉଛି | ଆଉ ମା ଜପ ବେଳେ ନିଶ୍ୱାସ ତ୍ୟାଗ କର ଆଉ ଭାବ ତୁମ ଭିତରୁ ଜନ୍ମ ଜନ୍ମାନ୍ତର ର ସମସ୍ତ ଦୁଃଷ୍କୃତି ଆଉ ତୁମ ଭିତରେ ଯାହା କିଛି ଖରାପ ସବୁ ନିଷ୍କାସିତ ହୋଇ ଯାଉଛି | ଅଳ୍ପ ସମୟ ଭିତରେ ଏହା ଅନୁଭବ କରିବାର ଶକ୍ତି ପାଇଯିବ | ଜପ ଧ୍ୟାନ ପ୍ରାର୍ଥନା ଓ ଉପାସନାର ଶକ୍ତି ଅସୀମ | ଉପାସନାରେ ନିୟମିତ ହୁଅ | ବ୍ରହ୍ମମୟୀ ଶ୍ରୀ ମା ଓ ପୂର୍ଣ୍ଣବ୍ରହ୍ମ ଶ୍ରୀ ସଦ୍ଗୁରୁଦେବ ତୁମର ସର୍ବାଙ୍ଗୀନ ଉନ୍ନତି କରନ୍ତୁ |      

ଶ୍ରୀ ବୈରାଗୀ

ଦେବୀ ଆଶ୍ରମ, ଅସୁରାଳି 

||ଓଁ ଶାନ୍ତି ||



Post a Comment

Previous Post Next Post