(Review of the article of Ganesh Prasad Parija)
(ବିଷୟ-ଶବ ସାଧନା, ଲେଖକ-ଗଣେଶ ପ୍ରସାଦ ପରିଜା ବିଷୟ (Published in "Paurush"-Odia-Monthly (March-1990) Pg-41-50//)
ବତ୍ସ ! ଆଜି ତୋ'ର ସାଧନାର ଶେଷ ଦିନ | ହୁଏତ ସମଗ୍ର ରାତି ତୋତେ ଅନିଦ୍ରା ହେବାକୁ ପଡିବ | ତେଣୁ ବେଳ ଥାଉଁ ଥାଉଁ ତୁ ନିଜକୁ ପ୍ରସ୍ତୁତ କରିଦେ | ଆଜି ତୋର ସାଧନାରେ ସିଦ୍ଧି ଆସିଯିବ, ତାହା ହେଲେ ଆସନ୍ତାକାଲି ତୁ ତୋର ଜନ୍ମଭୂମିକୁ ଫେରି ଯିବୁ |
ପ୍ରଭୋ ! ଆପଣ କହୁଥିଲେ ଶବ ସାଧନା ହେବ ଶେଷ ସାଧନା | ସେ ଶବ ସାଧାରଣ ଶବ ନୁହେଁ | ସେ ସାଧାରଣ ହେଉ ବା ଅସାଧାରଣ ହେଉ ମଶାଣିକୁ ତ ଶବ ଆସିବାର କୌଣସି ସୂଚନା ଦେଖୁ ନାହିଁ | ପୁଣି ଶବ କୁ ଯଦି ସେମାନେ ପୋଡି ଦେଇଥା'ନ୍ତି, ତେବେ ସାଧନା କରାଯିବ କିପରି ?
ସେ ବିଷୟରେ ତୋର ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ, ବତ୍ସ ! ଠିକ୍ ସମୟରେ ଶବ ଆସି ଯିବ --ଆଜି ଅମାବାସ୍ୟା ମଙ୍ଗଳବାର ! ତନ୍ତ୍ର ସାଧନାର ପ୍ରକୃଷ୍ଟ ଦିନ ଆଜି | ଶବ ସାଧନା ଭଳି ଭୟଙ୍କର ସାଧନାରେ ସିଦ୍ଧି ଲାଭ ପରେ ଆଉ କିଛି ତୋତେ କଷ୍ଟ ହେବ ନାହିଁ | କେବଳ ସିଦ୍ଧମନ୍ତ୍ର ଆଉ ସାଧନାର ପ୍ରଣାଳୀ ଶିଖି ଗଲେ ହେବ | ବହୁ ବିଷୟ ତୁ ପୂର୍ବରୁ ଲକ୍ଷ୍ୟକରି ଜାଣି ସାରିଛୁ | ଯଦି କିଛି ଆବଶ୍ୟକ ପଡେ ତେବେ ପରେ ଆସି ପାରୁ ; କିନ୍ତୁ ଆଜି ହେଉଛି ସାଧନାର ଅନ୍ତିମ ଦିବସ |
ମହାଭୈରବଙ୍କ କଥାକୁ ସମ୍ମାନ ଦେବାକୁ ସେ ନୀରବ ରହିଲେ | କିନ୍ତୁ ତାଙ୍କ ମନରେ ବିଶ୍ୱାସ ଆସୁ ନ ଥାଏ, ଉପଯୁକ୍ତ ଶବଟିଏ ମିଳିବ ବୋଲି | ସେ ଭାବି ଥିଲେ ଆଉ କିଛି ଦିନ ମହାଭୈରବଙ୍କ ଆଶ୍ରମରେ ରହିଯିବେ ; ମାତ୍ର ମହାଭୈରବ କହି ସାରିଲେଣି ଆଜି ହେଉଛି ଶେଷ ଦିନ |
ସେ ଅନେଇଲେ ଉତ୍ତରକୁ ! ଉତ୍ତର ଦିଗରେ ସ୍ୱର୍ଗକୁ ମୁଣ୍ଡ ଟେକି ଛିଡା ହୋଇଛି ହିମାଳୟ | ସେ ହେଉଛି ସ୍ୱର୍ଗ ଯିବାପାଇଁ ମର୍ତ୍ତ୍ୟର ଏକମାତ୍ର ବାଟ | ପାଣ୍ଡଵମାନେ ସେହିବାଟ ଦେଇ ସ୍ୱର୍ଗକୁ ଯାଇଥିଲେ | ଗଲାବେଳେ ପ୍ରଥମେ ଯିବାରେ ଅସୁବିଧା ଅନୁଭବ କରି ଦ୍ରୌପଦୀ ପଡିଗଲେ | ତାଙ୍କ ପରେ ସହଦେଵ, ନକୁଳ, ଅର୍ଜୁନ ଓ ଶେଷରେ ଭୀମଙ୍କର ପାଳି ପଡିଲା | ଏକମାତ୍ର ଗଲେ ଯୁଧିଷ୍ଠିର ସ୍ୱର୍ଗକୁ | ଯୁଗ ଯୁଗ ଧରି କେତେ ସାଧୁସନ୍ଥ ଏହି ହିମାଳୟର ଗିରି ଗୁହାକୁ ଆସିଛନ୍ତି ; ସେମାନଙ୍କ ମଧ୍ୟରୁ କେତେକ ସିଦ୍ଧପୁରୁଷ ହୋଇ ଯାଇଥିଲେ | କେତେକ ବା ଫେରି ଯାଇଥିଲେ ବିଫଳ ହୋଇ | ସେ ଶୁଣିଛନ୍ତି ହଜାର ହଜାର ବର୍ଷ ଧରି କେତେକ ସିଦ୍ଧ ପୁରୁଷ ହିମାଳୟ ଗିରି ଗୁହାରେ ସାଧନାରତ | ସେ ମଧ୍ୟ ଦର୍ଶନ କରିଛନ୍ତି କେତେକଙ୍କୁ | ସେମାନେ ତାଙ୍କୁ କିଛି କହି ନଥିଲେ, କେବଳ ଦକ୍ଷିଣ ହସ୍ତଟିକୁ ଆଗକୁ ବଢ଼ାଇ ଆଶୀର୍ବାଦ ଦେଇଥିଲେ |
--------end of pg1------------------><><><><><><><><><><><><><><><><><><><><><><><><>
ତାଙ୍କର ତ କାମ୍ୟ ସେତିକି |ମହାଭୈରବଙ୍କ ପାଖରେ ଶିଷ୍ୟତ୍ୱ କଲା ପରେ ଆଉ କାହାଠାରୁ କ'ଣ ପାଇବାକୁ ସେ ବା କାହିଁକି ଆଶା କରିବେ ?
ତାଙ୍କର ଇଛା ଥିଲା, ଆଉ କେତେ ବର୍ଷ ଅତୀତ କରିଥା'ନ୍ତେ ସେହି ଆଶ୍ରମରେ |
ତାଙ୍କର ମନେ ପଡିଲା ସେ ଦିନର କଥା | ଗୁରୁ ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ କହୁଥିଲେ | କେତେକ ଗୁରୁଭାଇଙ୍କ ସହିତ ସେ ବସି ଥିଲେ ମହାଭୈରବଙ୍କ ସମ୍ମୁଖରେ | ହଠାତ୍ କାହାର ପାଦଶବ୍ଦ ଶୁଭିଲା | କେହି ଜଣେ କାଠ ଖଡ଼ମ୍ ମାଡି ଖଟ୍ ଖଟ୍ ଶବ୍ଦ କରି ଆସୁଥିଲେ | ସେ ଶବ୍ଦ ଶୁଣି ମହାଭୈରବ ଯେଉଁ ଭଳି ଶବ୍ଦ ଆଡ଼କୁ ଅନାଇ ଦେଲେ ସେହିଭଳି ଗୁରୁଭାଇମାନେ ମଧ୍ୟ ସେହି ଶବ୍ଦ ଆଡ଼କୁ ଅନାଇଲେ/
ଅଦ୍ ଭୂତ କଥା- ଶବ୍ଦ ବେଳକୁ ବେଳ ନିକଟେଇ ଆସିଲା ଓ ତାଙ୍କ ପାଖରୁ ମାତ୍ର କେତେ ହାତ ଦୂରରେ ଶୁଭିଲା- ହେଲେ କୌଣସି ଲୋକର ସାକ୍ଷାତ ମିଳିଲା ନାହିଁ | ତଥାପି ସେହି ଶବ୍ଦ ଆଉ କେତେ ପାହୁଣ୍ଡ ତାଙ୍କ ଆଡ଼କୁ ଆଗେଇ ଆସିଲା |
ହଠାତ୍ ତାଙ୍କ ଆସନରୁ ଉଠି ପଡିଲେ ଗୁରୁ ମହାଭୈରବ | ଗ୍ରୀବା ନତ କରି ପ୍ରଣାମ କଲେ | ଗୁରୁ ଉଠି ପଡିବାରୁ ଶିଷ୍ୟମାନେ ମଧ୍ୟ ଉଠି ପଡିଲେ | ଗୁରୁଙ୍କ ଭଳି ସେମାନେ ମଧ୍ୟ ପ୍ରଣାମ କଲେ | ତାପରେ ଦେଖାଗଲା, ଜଣେ ସାତ ଫୁଟରୁ ଅଧିକ ଉଚ୍ଚ ପୁରୁଷ ତାଙ୍କ ଆଗରେ ଛିଡା ହୋଇଛନ୍ତି | ତାଙ୍କ ମୁହଁରେ ଧଳା ଲମ୍ବା ଦାଢ଼ି | ମୁଣ୍ଡର ବାଳ ଜଟା ହୋଇ ଗଲାଣି | ପ୍ରଶସ୍ତ ଛାତି, ଓସାର କପାଳ, ଲମ୍ବା ନାକ | ଭଲ କରି ମଜା ହୋଇଥିବା ତମ୍ବା ଭଳି ତାଙ୍କ ଦେହର ରଙ୍ଗ | ସତେ ଯେପରି ସେ ଦେହରୁ ଗୋଟାଏ ଆଭା ବିଛୁରିତ ହେଉଥିଲା | ଅନ୍ୟ ମାନଙ୍କ ମୁହଁରୁ ପରେ ସେ ଶୁଣିଥିଲେ, ମାତ୍ର ନିଜେ ଅନୁଭବ କଲେ, ତାଙ୍କୁ ବେଶୀ ସମୟ ଅନେଇଲେ ତାଙ୍କ ଆଖି ଯେପରି ଜଳକା ହୋଇ ଯାଉଛି |
ସେ କହିଲେ ବାବା ! ମୁଁ ଏହି ବାଟ ଦେଇ ଯାଉଥିଲି --ଜାଣିଲି ତୁ ଏଠାରେ ଅଛୁ | ତେଣୁ ଚାଲି ଆସିଲି ଦେଖିବାକୁ ତୁ କିପରି ସମୟ କାଟୁଛୁ ? ବର୍ତ୍ତମାନ ତତେ ତୋ' ଶିଷ୍ୟମାନଙ୍କୁ ଦେଖି ଆନନ୍ଦ ଲାଗିଲା | ତାପରେ ସେହି ସିଦ୍ଧ ପୁରୁଷ ଗୁରୁଙ୍କ ଆଡୁ ଆଖି ଫେରାଇ ଆଣି ସେମାନଙ୍କ ଆଡ଼କୁ ଅନାଇଲେ | ହଠାତ୍ କିଛି ସମୟ ସେହି ମହାପୁରୁଷଙ୍କ ଆଖି ରହିଗଲା ତାଙ୍କରି ଉପରେ | ତାପରେ ସେ କ'ଣ କହିଲେ ତାହା ସେ ବା ତାଙ୍କ ଗୁରୁଭାଇମାନେ ବୁଝି ପାରିଲେ ନାହିଁ | ସେ କେବଳ ଏତିକି ବୁଝିଲେ ସେ ମହାପୁରୁଷ ଯାହା କହୁଥିଲେ ତା' ମଧ୍ୟରେ କଳିଙ୍ଗ ଶବ୍ଦ ଥିଲା | ଗୁରୁ ମଧ୍ୟ ସେହି ଭାଷାରେ ତାଙ୍କୁ ଉତ୍ତର ଦେଲେ |
ତାପରେ ସେହି ସିଦ୍ଧ ପୁରୁଷଙ୍କ ମୁହଁରେ ଛୋଟ ହସଟିଏ ଫୁଟି ଉଠିଲା | ସେ କହିଲେ ' ହଁ ତନ୍ତ୍ରର ଉର୍ବର ଭୂମି କଳିଙ୍ଗ | ଯେଉଁଠି ଭୈରବ ଜଗନ୍ନାଥ , ଭୈରବୀ ସୁଭଦ୍ରା ଅଛନ୍ତି ସେ ଭୂମିର ଲୋକ ହିମାଳୟ ଆସିବାର ସେଭଳି ଆବଶ୍ୟକତା ନାହିଁ | ହେଉ , ତୋର ତନ୍ତ୍ର ସିଦ୍ଧି ଆସୁ |'
ସେହି ମହାପୁରୁଷ ବେଶୀ କ୍ଷଣ ସେଠାରେ ରହି ନ ଥିଲେ | ସମସ୍ତଙ୍କୁ ଆଶୀର୍ବାଦ ଦେଇ ସେ ପୁଣି ଖଡମ ଖଡ଼ମ୍ ଠକ୍ ଠକ୍ କରି ଶୂନ୍ୟରେ ମିଶି ଗଲା ଭଳି ଉଭେଇ ଗଲେ | ସେହି ଦିନ ଠାରୁ ଗୁରୁ ମହାଭୈରବ ଙ୍କର ତାଙ୍କ ପ୍ରତି ଗୋଟାଏ ଭିନ୍ନ ଦୃଷ୍ଟିକୋଣ ରହି ଆସିଲା | ତନ୍ତ୍ର ବିଷୟରେ ସାଧନା ବିଷୟରେ ସେ ତାଙ୍କୁ ଏକୁଟିଆ ଡାକି ବହୁ କଥା କହୁ ଥିଲେ | ଦିନେ ମଧ୍ୟ ଗୁରୁ କହିଲେ 'ସେ ମହାପୁରୁଷ ନିଜ ଦେହ ଛାଡି ସାରିଛନ୍ତି | ମାତ୍ର ବେଳେ ବେଳେ କାହାକୁ କିପରି ଦେଖା ଦିଅନ୍ତି | ଯାହାର ସେହିଭଳି ଭାଗ୍ୟ ଥିବ, ସେ ତା'ଙ୍କୁ ଦର୍ଶନ କରିପାରିବ |'
ଗୁରୁ ଶିଷ୍ୟ ଦୁହେଁ କଥାବାର୍ତ୍ତା ହେଉଥିଲା ବେଳେ ଟିକିଏ ଦୂରରୁ ଶୁଭାଗଲା, ରାମ୍ ନାମ୍ ସତ୍ୟ ହେ, ହରି ନାମ୍ ସତ୍ୟ ହେ |- ଏ ଯେ ଶବ ବାହକ ମାନଙ୍କର ସ୍ୱର | ନିଶ୍ଚୟ ଗୋଟିଏ ଶବକୁ କାନ୍ଧରେ ବୋହି ଆସୁଛନ୍ତି ତାଙ୍କର ଆତ୍ମୀୟ ମାନେ | ଶ୍ମଶାନ ବୈରାଗ୍ୟ ର ଧ୍ଵନି ତାଙ୍କ ମୁହଁରୁ ନିନାଦିତ ହେଉଛି କେବଳ ରାମ୍ ନାମ୍ ସତ୍ୟ ହେ, ହରି ନାମ୍ ସତ୍ୟ | ଆଉ ସବୁ ମିଥ୍ୟା | ରାମ ବା ହରି ଏ ଦେହରେ ଥିବା ପର୍ଯ୍ୟନ୍ତ ଏ ଦେହ ଆଦୃତ ହେଉଥିଲା, ସେ ଚାଲିଗଲା ପରେ ଦେହ ମିଥ୍ୟା ଅଳିକ ହୋଇଗଲା | ତେଣୁ ତାକୁ ସଂସ୍କାର କରିବାକୁ ନେଉଛୁ | ସତ୍ୟର ଆଦର କାଳେ କାଳେ ରହିଛି, ରହିଥିବ ମଧ୍ୟ |
ଦୁହେଁ ଚକିତ ନୟନରେ ଅନାଇଥା'ନ୍ତି | ବେଳୁ ବେଳ ସ୍ୱର ଦୂରରୁ ନିକଟେଇ ଆସୁଥାଏ | ଦୁହେଁ ନୀରବ | ଶିଷ୍ୟ ଇଛା କରୁଥାଏ କିଛି କହିବାକୁ ଗୁରୁଙ୍କୁ ! ମାତ୍ର ସାହସ ପାଉ ନ ଥାଏ | ଧୀରେ ଧୀରେ ସ୍ୱର ନିକଟେଇ ଆସିଲା | ତାପରେ ଦେଖାଗଲା ଗୋଟିଏ ଶବକୁ କାନ୍ଧେଇ ଚାଲିଛନ୍ତି କେତେକ ଲୋକ | କେତେକ ଲୋକ ଶୁଖିଲା କାଠାଦି ଧରି ଚାଲିଛନ୍ତି -ତାଙ୍କ ସହିତ | ଗୁରୁ ଶିଷ୍ୟ ଦୁହେଁ ଦେଖିଲେ ମୃତ ବ୍ୟକ୍ତିର ମୁହଁରେ ବିସୁଚିକା ରୋଗର ଲକ୍ଷଣ | ନିଶ୍ଚିତ ଭାବରେ ବସନ୍ତ ରୋଗରେ ରୋଗୀଟି ମରିଯାଇଛି | ତେଣୁ ଶବ ସାଧନା ପାଇଁ ଏହି ଶବଟି ଉପଯୁକ୍ତ |
ଶବବାହୀ ମାନେ ତାଙ୍କରି କଡ଼ ଦେଇ ଚାଲିଗଲେ | ତଥାପି ଶିଷ୍ୟ ଆଖିରେ ପ୍ରଶ୍ନ | ଗୁରୁ ଅଳ୍ପ ହସି ଦେଇ ପଚାରିଲେ, କ'ଣ ଭାବୁଛୁ ! ସେମାନେ ଶବକୁ ପୋଡି ଦେଇ ଯିବେ ? ନା' ତା' ସେ କେବେ କରିପାରିବେ ନାହିଁ | ମା'ର ଇଛା ଏହି ଶବ ହେବ ତୋ' ସାଧନାର ମୁଖ୍ୟ ଉତ୍ସ ! କିନ୍ତୁ ସାବଧାନ୍- ତୋ' ଭିତରେ ଯେପରି ଭୟର ତିଳେ ମାତ୍ର କିଛି ନ ରୁହେ | ଶବକୁ ଜୀବଦାନ ଦେଇ ସାଧନା କଲାବେଳେ ତୋ' ଭିତରେ ସାମାନ୍ୟ ଭୟ ସଞ୍ଚାର ହୁଏ, ତେବେ ତୋତେ ଶବ ହେବାକୁ ପଡିବ | ସେ ଅବସ୍ଥାରୁ ତୋତେ ରକ୍ଷା କରିବା ମୋ ପକ୍ଷରେ ସମ୍ଭବପର ହୋଇ ପାରିବ ନାହିଁ | ପୁଣି ତୋତେ ପ୍ରେତ ଲୋକରେ କିଛି ଦିନ ଘୁରି ବୁଲିବାକୁ ପଡିବ | ତା ପରେ | ତା'ପରେ ଜନ୍ମ ନେବୁ କାହାଠାରୁ | ତୁ ଯେ ସାଧନା କରି ଅକୃତକାର୍ଯ୍ୟ ହୋଇ ମରି ଯାଇଛୁ ଏହା ତ ଥର ସ୍ମରଣ ହେବ ନାହିଁ -ଯଦି ପୁଣ୍ୟ ବଳରୁ ସେହି ଭଳି ସୁବିଧା ସୁଯୋଗ ତୁ ପାଉ ତେବେ ପୁଣି ତନ୍ତ୍ର ସାଧନାରେ ଆଗେଇ ଆସିବୁ ଏବଂ ଦେବୀଙ୍କର ଆଶୀର୍ବାଦ ଲାଭ କରିବୁ |
ସେ କ'ଣ କହିବେ ବୋଲି ଭାବୁଥିଲେ, ହଠାତ୍ କାହାର କଣ୍ଠସ୍ୱର ତାଙ୍କ କାନକୁ ଶୁଭାଗଲା, ସଦାନନ୍ଦ ! ଏଥିପାଇଁ ତୁ ଡରି ଯାଅନା | ମୋର ଦୃଷ୍ଟି ତୋ ଉପରେ ଅଛି |
କଣ୍ଠ ସ୍ଵରଟି ଜଣେ ସ୍ତ୍ରୀ ଲୋକର | ସେ ଆଶ୍ଚର୍ଯ୍ୟ ହୋଇ ଚାରିଆଡ଼କୁ ଚାହିଁଲେ | କେବଳ ତାଙ୍କ ଗୁରୁ ମହାଭୈରବଙ୍କ ଛଡା ଆଉ
କେହି ସେଠାରେ ନଥିଲେ | ... ତାହାହେଲେ କିଏ କହିଲା ? ଏ କ'ଣ ଶୂନ୍ୟବାଣୀ | ଶୂନ୍ୟରୁ ସେହି ଜଗଜ୍ଜନନୀ ତାଙ୍କୁ ଉଦ୍ଦେଶ୍ୟ କରି କହୁଛି ?
ସେ ଏଣେ ତେଣେ ଚାହିଁ କାହାକୁ ନପାଇ ବୋକାଙ୍କ ଭଳି ଅନାଇବା ଦେଖି ହୋ ହୋ ହୋଇ ହସି ଉଠିଲେ ଗୁରୁ ମହାଭୈରବ |
କହିଲେ, ତୁ କ'ଣ ଏତିକି ଜାଣି ପାରୁନୁ, ତୋର ଇଷ୍ଟ ସବୁବେଳେ ତୋ ଉପରେ ଦୃଷ୍ଟି ରଖୁଛି ବୋଲି ? ଭକ୍ତି ସହକାରେ ଦେବୀଙ୍କୁ ଧ୍ୟାନ କରି ଲକ୍ଷ ଲକ୍ଷ ଥର ମନ୍ତ୍ର ଜପ କରିବା ଦ୍ୱାରା ମନ୍ତ୍ରର ପୁରଶ୍ଚରଣ ହୋଇ ସାରିଛି | କେବଳ ବାକି ରହିଛି ଦେବୀ ଆବିର୍ଭୂତା ହୋଇ ତୋର ଇଛା ପୂର୍ଣ୍ଣ କରିବା | ତାହା ଆସନ୍ନ ପ୍ରାୟ | ତୋର ଗୁହ୍ୟଦ୍ୱାରରେ ସୁପ୍ତ ଥିବା କୁଣ୍ଡଳିନୀ ଜାଗ୍ରତ ହୋଇଛି ଫଳରେ ତୋ ମଧ୍ୟରେ ଗୋଟାଏ ଅବ୍ୟକ୍ତ ଆନନ୍ଦ ଅନୁଭବ କରୁଥିବୁ | ମହାଶକ୍ତି ଆତ୍ମପ୍ରକାଶ କରିବା ଏତେ ସହଜ କଥା ନୁହେଁ | ଦେବୀଙ୍କ ଅବତରଣ ପାଇଁ ଯାହାର ଦେହ ସେହି ଅନୁସାରେ ପ୍ରସ୍ତୁତ ନହୋଇଥିବ, ତା ମଧ୍ୟରେ ଦେବୀ ଆତ୍ମପ୍ରକାଶ କରି ପାରିବେ ନାହିଁ -- ଯଦି କରନ୍ତି, ତେବେ ବ୍ୟକ୍ତିର ମୃତ୍ୟୁ ଘଟିବ | ଯେଉଁ ଭଳି କାହା ଉପରେ ଘଡଘଡି ପଡିଲେ ତାହାର ମୃତ୍ୟୁ ଅନିବାର୍ଯ୍ୟ, ସେହିଭଳି ଏ ରକ୍ତ ମାଂସ ଦେହରେ ମହାଶକ୍ତିର ଆବିର୍ଭାବ ଫଳରେ ତାର ମୃତ୍ୟୁ ନିଶ୍ଚିତ | ସେଥିପାଇଁ ସାଧକ ସାଧନା ଦ୍ୱାରା ଦେହକୁ ସେହି ଅନୁସାରେ ପ୍ରସ୍ତୁତ କରିଥାଏ | ବର୍ତ୍ତମାନ ତୋର ଦେହ ମହାଶକ୍ତିର ଆବିର୍ଭାବ ପାଇଁ ପ୍ରସ୍ତୁତ ହୋଇଗଲାଣି |
ସାଧକ ସଦାନନ୍ଦ ଅନୁଭବ କଲେ, ହଁ ପ୍ରକୃତରେ ତାଙ୍କ ନିରାନନ୍ଦ ହୃଦୟ ମଧ୍ୟରେ ଗୋଟାଏ ଆନନ୍ଦ ସେ ଅନୁଭବ କରି ପାରୁଛନ୍ତି | ତାହା ହେଲେ ଗୁହ୍ୟଦ୍ୱାରରେ ସୁପ୍ତ ଥିବା କୁଣ୍ଡଳିନୀ ଶକ୍ତି କ'ଣ ସତରେ ଜାଗ୍ରତ ହୋଇ ସାରିଲାଣି | ସେ ସାଧନାରେ ବସିଗଲେ କୁଣ୍ଡଳିନୀ ହୃଦୟ ମଧ୍ୟରେ ଥିବା ଚକ୍ରପରେ ଚକ୍ର ଅତିକ୍ରମ କରି ଷଟଚକ୍ର ଭେଦ କରି ଦେହାତୀତ ହୋଇ ପାରିବ ?
ହଠାତ୍ ଗୋଟାଏ ଘଡ଼ଘଡ଼ି ଶବ୍ଦ ତାଙ୍କ କାନରେ ବାଜିଲା |
ମହାଭୈରବ କହିଲେ ହେଇ ଆସିଗଲା | ସେମାନେ କେବେ ଶବକୁ ଦଗ୍ଧ କରି ପାରିବେ ନାହିଁ | ଆଉ ଅଳ୍ପ ସମୟ ପରେ ସେମାନେ ହୁଏତ ନିଜର ଜୀବନ ବଞ୍ଚାଇବାକୁ କିଏ କୁଆଡେ ପଳାଇବେ |
ସଦାନନ୍ଦ ଚାହିଁଲେ ଆକାଶକୁ | ସତରେ ପଶ୍ଚିମ ଦିଗରୁ ଖଣ୍ଡେ କଳା ବାଦଲ ମାଡି ଆସୁଛି | ସେହି ବାଦଲ ପରସ୍ପର ସହିତ ଧକ୍କା ଖାଇ ଚିତ୍କାର କଲାଭଳି ଘଡ଼ଘଡ଼ି ଶବ୍ଦ ଶୁଭୁଛି |
ଅନାଉ ଅନାଉ ପଶ୍ଚିମ ଆକାଶରେ କଳାମେଘ ଖଣ୍ଡକ ସମଗ୍ର ଆକାଶକୁ ଛାଇଦେଲା | ତା ସହିତ ସୁ ସୁ ହୋଇ ବହିବାକୁ ଲାଗିଲା ପବନ | ଘନ ଘନ ବିଜୁଳି, ଘଡ଼ଘଡ଼ି, ତା ସାଙ୍ଗକୁ ବାତ୍ୟା ବହିବା ଦେଖି ଗୁରୁ ଶିଷ୍ୟ ବାହାରୁ ଆଶ୍ରମ ଭିତରକୁ ଚାଲିଗଲେ | ସଙ୍ଗେ ସଙ୍ଗେ ଆରମ୍ଭ ହୋଇଗଲା ବର୍ଷା ତାହା ପୁଣି ସାମାନ୍ୟ ନୁହେଁ, ସତେ ଯେପରି ମାଠିଆ ମୁହଁରେ ମେଘ ପାଣି ଢାଳୁଛି |
ମହାଭୈରବ କହିଲେ ତୁ କ'ଣ ଭାବୁଛୁ ଏ ଅବସ୍ଥାରେ କେହି ଗୋଟିଏ ଶବ ପାଖରେ ଥିବେ ?
ପ୍ରଭୋ ବର୍ଷା ଛାଡିଗଲା ପରେ ପୁଣି ସେମାନେ ଆସି ଶବ ଟିକୁ ପୋଡିବା ପାଇଁ ଚେଷ୍ଟା କରିବେ ନାହିଁତ ?